ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୌର ନିର୍ବାଚନ ପୂର୍ବରୁ କ୍ଷମତାସୀନ ଯୋଗୀ ଆଦିନତ୍ୟନାଥ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଜାରି କରିଥିବା ଚିଠା ବିଜ୍ଞପ୍ତିକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଖାରଜ କରି ଦେଇଛନ୍ତି। ଏଥିସହ ଓବିସିଙ୍କ ପାଇଁ ବିନା ସଂରକ୍ଷଣ ବ୍ୟବସ୍ଥାରେ ପୌର ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡିକେ ଉପାଧ୍ୟାୟ ଓ ଜଷ୍ଟିସ ସୌରଭ ଲାଭାନିଆଙ୍କ ଡିଭିଜନାଲ ବେଞ୍ଚ ଏପରି ରାୟ ପାସ କରିଛନ୍ତି।
ଡିସେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶ ସରକାର ଗୋଟିଏ ଚିଠା ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ କୁହାଯାଇଥିଲା ଯେ ଅନ୍ୟ ପଛୁଆ ବର୍ଗ (ଓବିସି)ର ଲୋକଙ୍କ ପାଇଁ ପୌର ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ରହିବ। କିନ୍ତୁ ସୁପ୍ରିମକୋର୍ଟଙ୍କ ଟ୍ରିପଲ ଟେଷ୍ଟ ପରାମର୍ଶକୁ ଓବିସି ସଂରକ୍ଷଣ ବେଳେ ଅଣଦେଖା କରାଯାଇଥିବା ଅଭିଯୋଗ କରି ଗୋଟିଏ ଜନସ୍ୱାର୍ଥ ମାମଲା କୋର୍ଟରେ ଆଗତ କରାଯାଇଥିଲା।
ଆବେଦନକାରୀ କହିଥିଲେ ଯେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଦେଇଥିବା ଫର୍ମୁଲାକୁ କାର୍ଯ୍ୟକାରୀ କରିବା ଦରକାର। ସେହିପରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଓବିସି ବର୍ଗ ରାଜନୀତିକ କ୍ଷେତ୍ରରେ ପଛୁଆ ହୋଇ ରହିଛନ୍ତି କି ନାହିଁ, ତା’ର ସମୀକ୍ଷା କରିବାକୁ ଗୋଟିଏ କମିଶନ ଗଠନ କରିବାର ଥିଲା। ହେଲେ ରାଜ୍ୟ ସରକାର ସେମିତି କିଛି କରି ନଥିବା ଆବେଦନକାରୀ ଯୁକ୍ତି ଉପସ୍ଥାପନ କରିଥିଲେ।
ଏହାକୁ ବିରୋଧ କରି ରାଜ୍ୟ ସରକାର କହିଥିଲେ ଯେ ଦ୍ରୁତଗତିରେ ସର୍ଭେ କରାଯାଇଥିଲା ଓ ଏହା ଟ୍ରିପଲ ଟେଷ୍ଟ ଫର୍ମୁଲା ଠାରୁ ଭଲ ପଦକ୍ଷେପ। ଏହି ଯୁକ୍ତି ଶୁଣିବା ପରେ ଶନିବାର ଲକ୍ଷ୍ନୌ ବେଞ୍ଚ ଶୁଣାଣି ଶେଷ କରିଥିଲେ। ଆଜି ଏହାର ରାୟ ପ୍ରକାଶ କରି ଯୋଗୀ ସରକାରଙ୍କୁ ଝଟକା ଦେଇଛନ୍ତି।