କରୋନାକୁ ନେଇ ଭାରତ ସରକାରଙ୍କ ସତର୍କତା

ନୂଆଦିଲ୍ଲୀ: ଚାଇନାରେ ଚିହ୍ନଟ ହୋଇଥିବା ମହାମାରୀ କରୋନାର ମାରାତ୍ମକ ଓମିକ୍ରନର ସବ ଭ୍ୟାରିଏଣ୍ଟ ବିଏଫ.୭ ଭାରତରୁ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ଚାଇନାରେ ଏହି ଭ୍ୟାରିଏଣ୍ଟ ଯୋଗୁ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଚାଇନା ବ୍ୟବତୀତ ଆମେରିକା, ଜାପାନ ଓ ବ୍ରାଜିଲରେ ବି ସଂକ୍ରମଣ ଉପର ମୁହାଁ ହୋଇଛି। ଏହାକୁ ନେଇ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଆଜି ସଂସଦକୁ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ।

ସେ କହିଛନ୍ତି ଯେ “ଭାରତ ସରକାର ସବୁ ପ୍ରକାରର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଚାଇନା ଓ ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଛି। ଏଥିପାଇଁ ବିଦେଶ ଫେରାନ୍ତଙ୍କ କରୋନା ଟେଷ୍ଟ ଏୟାରପୋର୍ଟରେ ଆରମ୍ଭ କରାଯାଇଛି। ବିଦେଶ ଫେରନ୍ତାଙ୍କ ଏୟାରପୋର୍ଟରେ ଆରଟିପିସିଆର ଟେଷ୍ଟ ହେଉଛି। ମହାମାରୀର ମୁକାବିଲା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଓ ଏଥିପାଇଁ ଉପଯୁକ୍ତି ପଦକ୍ଷେପ ନିଆଯାଉଛି।

୨% ବିଦେଶ ଯାତ୍ରୀଙ୍କୁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ଦେବାକୁ କୁହାଯାଇଛି। ଯଦି କେହି ପଜିଟିଭ ଚିହ୍ନଟ ହେଉଛନ୍ତି, ତା’ହେଲେ ସେମାନଙ୍କର ଜେନୋମ ସିକ୍ୱେନ୍ସିଂ କରାଯାଉଛି। ଏଥିସହ ଗାଇଡଲାଇନ ଅନୁସାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।”

ବିଦେଶ ଫେରନ୍ତାଙ୍କ ଟେଷ୍ଟ ବ୍ୟତୀତ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପଜିଟିଭ କେସ୍‌ର ଅଧିକ ମାତ୍ରରେ ଜେନୋମ ସିକ୍ୱେନ୍ସିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜେନୋମ ସିକ୍ୱେନ୍ସିଂ ଦ୍ୱାରା ହିଁ କରୋନାର ନୂଆ ଭାରିଏଣ୍ଟ ସମ୍ପର୍କରେ ସୂଚନା ମିଳିପାରିବ।

ମାଣ୍ଡବୀୟ କହିଛନ୍ତି, “ଆମେ ବିଶ୍ୱ କରୋନା ସ୍ଥିତି ଉପରେ ନଜର ରଖିଛୁ। ସେହି ଅନୁସାରେ ପଦକ୍ଷେପ ନେଉଛୁ। ରାଜ୍ୟଗୁଡ଼ିକୁ ସ୍ଥିତିକୁ ଦେଖି ମାସ୍କ ବ୍ୟବହାର ବାଧ୍ୟତାମୂଳକ ନିୟମ ଲାଗୁ କରିବାକୁ କୁହାଯାଇଛି। ସେହିପରି ସାନିଟାଇଜରର ବ୍ୟବହାର, ସାମାଜିକ ଦୂରତା ନିୟମ ଓ ବୁଷ୍ଟର ଡୋଜ୍‌ ନେବାକୁ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବେଶ ସତର୍କତାର ସହ କୋଭିଡ ସ୍ଥିତିକୁ ପରିଚାଳନା କରୁଛି। ମହାମାରୀ କରୋନା ବିରୋଧରେ ଲଢ଼େଇ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା କରିଛନ୍ତି। ଏଯାଏ ୨୨୦ କୋଟି ଟିକାର ଡୋଜ୍‌ ଦିଆଯାଇଛି। ସମସ୍ତଙ୍କୁ ପ୍ରୋଟକଲ ମାନିବାକୁ କୁହାଯାଇଛି। କିନ୍ତୁ ନିୟମ ବାଧ୍ୟତାମୂଳକ କରାଯାଇନି। ”

ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ସଂକ୍ରମଣ ବଢ଼ୁଥିବା ଦେଶଗୁଡ଼ିକୁ ବିମାନ ଚଳାଚଳ ବନ୍ଦ ଉପରେ କୌଣସି ପ୍ରକାରର ନିଷ୍ପତ୍ତି ହୋଇନି। କାରଣ ଚାଇନାରୁ କିମ୍ବା ଚାଇନାକୁ ସିଧାସଳଖ ବିମାନ ଭାରତରେ ସେବା ଯୋଗାଉ ନାହିଁ। ଆମର ମୂଳ ଲକ୍ଷ୍ୟ ହେଲା ଭାରତରେ ଭାଇରସର ପ୍ରବେଶ ଉପରେ ରୋକ ଲଗାଇବା। ଏଥିପାଇଁ ବିମାନ ଯାତ୍ରାରେ ବାଧା ସୃଷ୍ଟି କରାଯିବ ନାହିଁ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.