ଚାଇନା ଫେରନ୍ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲା

ଭାବନଗର: ଚାଇନାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଚାଇନାରେ ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଆତଙ୍କ ଖେଳାଇଥିବା ବେଳେ ସେଠାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିବା ସମସ୍ତଙ୍କୁ ଭୟଭୀତ କରିଛି।

ଗୁଜରାଟର ଭାବନଗରକୁ କିଛି ଦିନ ତଳେ ଚାଇନାକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିଥିବାରୁ ତାଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଏହାଦ୍ୱାରା ସେ କରୋନାର ମାରାତ୍ମକ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେକଥା ସ୍ପଷ୍ଟ ହେବ।

ମିଳିଥିବା ସୂଚନା ଅନୁସାରେ, ଭାବନଗରେ ରହୁଥିବା ୩୪ ବର୍ଷୀୟ ବ୍ୟବସାୟୀ ଜଣଙ୍କ କୌଣସି କାମରେ ଚାଇନା ଯାଇଥିଲେ। ସେ ଡିସେମ୍ବର ୧୯ରେ ଭାରତ ଫେରିଥିଲେ। ଏଥିସହ ସ୍ୱାଭାବିକ ଭାବେ ସମସ୍ତଙ୍କ ସହ ମିଶିଥିଲେ। ହେଲେ ବୁଧବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି।

ବିଶ୍ୱର ବିଭିନ୍ନ ପ୍ରାନ୍ତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଭାରତରେ ମଧ୍ୟ ସତର୍କତା ଦେଖାଯାଇଛି। ବିଶେଷ କରି ୪ ଜଣ ବ୍ୟକ୍ତି ଚାଇନାରେ ଆତଙ୍କ ଖେଳାଇଥିବା ବିଏସ୍‌ ୭ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି।

ଏହାକୁ ଦେଖି ଗୁଜରାଟ ସରକାର ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଟେଷ୍ଟକୁ ଜୋରଦାର କରିବାକୁ କହିଥିଲେ। ଏହିକ୍ରମରେ ଭାବନଗର କର୍ପୋରେସନ ବିଦେଶରୁ ଫେରିଥିବା ସମସ୍ତ ଲୋକଙ୍କର ବାଧ୍ୟତାମୂଳକ କରୋନା ଟେଷ୍ଟିଂ ଆରମ୍ଭ କରିଛି। ବୁଧବାର ଟେଷ୍ଟିଂ ବେଳେ ଚାଇନା ଫେରନ୍ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଏଯାଏ ଭାରତରେ ୪ ଜଣ ବିଏଫ ୭ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଗୁଜରାଟରୁ ଚିହ୍ନଟ ହୋଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟଗୁଡ଼ିକୁ ଆଲର୍ଟରେ ରହିବାକୁ କହିଛନ୍ତି। ଏଥିସହ କୋଭିଡର ଉଚିତ ବ୍ୟବହାର ପାଳନ କରିବାକୁ ଲୋକଙ୍କୁ କହିଛନ୍ତି।

nis-ad
Leave A Reply

Your email address will not be published.