ଡିସେମ୍ବର ୨୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ

୨୦୨୧-୨୨ ପାଇଁ ପ୍ରଦାନ କରାଯିବ ୧୬୩ ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ଏବଂ ୯୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ପ୍ରାଚୀନତମ ବିଶ୍ୱବିଦ୍ୟାଳୟ । ଏହା ଓଡ଼ିଶାାର ଗର୍ବ ଓ ଗୌରବ । ଶିକ୍ଷାର ସୁବ୍ୟବସ୍ଥା, ଅଧ୍ୟୟନର ଅନୁକୂଳ ପରିବେଶ, ଉଚ୍ଚତର ଗବେଷଣା ଲାଗି ଉପଯୁକ୍ତ କ୍ଷେତ୍ର ଅନୁଧ୍ୟାନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନାକ୍‌ ଏ+ ମାନ୍ୟତା ମିଳିଛି । ଓଡ଼ିଶାରେ ନାକ୍‌ ଏ+ ମାନ୍ୟତା ପାଇବାରେ ଉକ୍ରଳ ପ୍ରଥମ ବିଶ୍ୱବିଦ୍ୟାଳୟ ହୋଇଥିବାବେଳେ ଦେଶରେ ଷ୍ଟେଟ୍‌ ପବ୍ଲିକ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି । ୨୦୨୨ରେ ଏହା ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂରେ ୮୮ତମ ସ୍ଥାନ ପାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ୨୩ ଡିସେମ୍ବର ୨୦୨୨ରେ ଅନୁଷ୍ଠିତ ହେବ । ଏହି ସମାବର୍ତ୍ତନ ଉତ୍ସବରେ ୨୦୨୧-୨୨ ପାଇଁ ମୋଟ ୧୬୩ ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ଏବଂ ୯୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ସେହିପରି ଡିଏସି ଏବଂ ଡିଲିଟ ଡିଗ୍ରୀ ଜଣଙ୍କୁ ଲେଖାଏଁ ପ୍ରଦାନ କରାଯିବ । ଏହା ସହିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଅର୍ଥରାଶୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

୨୩ ଡିସେମ୍ବର ୨୦୨୨ରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଲ ଗୌଡ଼ା ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ୫୨ତମ ସମାବର୍ତ୍ତନ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, କୁଳସଚିବ ଡ. ଅଭୟ କୁମାର ନାୟକ ଉପସ୍ଥିତ ରହିବେ । ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ଓ ଏକାଡେମିକ କାଉନସିଲ ସଦସ୍ୟ, ଡିନ, ପ୍ରଫେସର, କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

nis-ad
Leave A Reply

Your email address will not be published.