ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଥିବା ପ୍ରସିଦ୍ଧ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପ୍ରବଳ ହିଂସାକାଣ୍ଡ ଘଟିଛି। କିଛି ପୂର୍ବତନ ଛାତ୍ର ଓ ବିଶ୍ୱବିଦ୍ୟାଳୟର ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଛି। ପଥର ମାଡ଼ ସହ କ୍ୟାମ୍ପସରେ ଥିବା ବାଇକ୍କୁ ମଧ୍ୟ ଗଣ୍ଡଗୋଳରେ ସାମିଲ ଥିବା ଲୋକମାନେ ନିଆଁ ଲଗାଇ ଦେଇଛନ୍ତି।
ସାମ୍ନାକୁ ଆସିଥିବା ଭିଡିଓରେ କିଛି ଯୁବକ ସିକ୍ୟୁରିଟି ଗାର୍ଡ ଓ ହିଂସା ପରେ କ୍ୟାମ୍ପସକୁ ଆସିଥିବା ପୁଲିସ୍ କର୍ମଚାରୀମାନଙ୍କ ଉପରକୁ ପଥର ମାଡ଼ କରୁଛନ୍ତି। ଗୋଟିଏ ବାଇକ୍ରେ ମଧ୍ୟ ନିଆଁ ଲାଗିଛି। ଦ୍ୱିତୀୟ ଭିଡିଓରେ ଗାର୍ଡମାନେ ପଥର ମାଡ଼ କରିଥିବା ଯୁବକଙ୍କୁ ଲାଠି ଦ୍ୱାରା ପ୍ରବଳ ପିଟୁଥିବା ଦୃଶ୍ୟ ରହିଛି।
ଜଣେ ପୂର୍ବତନ ଛାତ୍ର ବ୍ୟାଙ୍କରେ କାମ ଥିବାରୁ କ୍ୟାମ୍ପସ ମଧ୍ୟରେ ଥିବା ବ୍ରାଞ୍ଚକୁ ଯିବାକୁ ଚାହିଁଥିଲେ। ହେଲେ ସିକ୍ୟୁରିଟି ଗାର୍ଡ ଏଥିପାଇଁ ଅନୁମତି ଦେଇ ନଥିଲେ। ଫଳରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। କ୍ୟାମ୍ପରେ ଫି’ ବୃଦ୍ଧି ବିରୋଧରେ ଚାଲିଥିବା ଆନ୍ଦୋଳନରେ ଏହି ପୂର୍ବତନ ଛାତ୍ର ଜଣଙ୍କ ଅଂଶ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଫି’ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବେ ନାହିଁ ବୋଲି କହିବାରୁ ଦୀର୍ଘ ମାସ ହେଲା ଆନ୍ଦୋଳନ ଚାଲିଛି। ଏସବୁ ଭିତରେ ପୂର୍ବତନ ଛାତ୍ର ଜଣଙ୍କ କ୍ୟାମ୍ପସକୁ ଯିବାକୁ ଚାହିଁଥିଲେ। ହେଲେ ଏହି ଘଟଣାକୁ ନେଇ ଭୟଙ୍କର ହିଂସାକାଣ୍ଡ ଘଟିଛି।
ଉଭୟ ପକ୍ଷ ସଂଘର୍ଷରେ ଆହତ ହୋଇଥିବା ଦାବି କରିଛନ୍ତି। ପୁଲିସ୍ କହିଛି ଯେ ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି। ଆନ୍ଦୋଳନରତ ଶିକ୍ଷାର୍ଥୀମାନଙ୍କୁ ଷ୍ଟୁଡେଣ୍ଟ ୟୁନୟନ ଅଫିସ ନିକଟରେ ବସିବାକୁ କୁହାଯାଇଛି। ସେହି ସ୍ଥାନରେ ସେମାନଙ୍କର ସବୁ ଦାବି ଶୁଣିବାର ବ୍ୟବସ୍ଥା କରାଯିବ।
ଆହ୍ଲାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖପାତ୍ର ଜୟା କପୁର କହିଛନ୍ତି, କିଛି ଅସାମାଜିକ ବ୍ୟକ୍ତି ବେଆଇନ ଭାବେ ବିଶ୍ୱବିଦ୍ୟାଳୟର ଗେଟ୍ରେ ପଡ଼ିଥିବା ତାଲାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସେମାନେ ସିକ୍ୟୁରିଟି ଗାର୍ଡମାନଙ୍କୁ ମାଡ଼ ମାରିଥିଲେ।
ଏହାପରେ ସେମାନେ ଭଙ୍ଗାରୁଜାର କରିବା ସହ କ୍ୟାମ୍ପସ ଭିତରେ ପୋଡ଼ାଜଳା କରିଥିଲେ। ଏଥିପାଇଁ କ୍ୟାମ୍ପସ ମଧ୍ୟରେ ଭୟ ଓ ହିଂସାର ପରିବେଶ ସୃଷ୍ଟି ହୋଇଛି। ସ୍ଥିତିକୁ ଦେଖି ଆସନ୍ତାକାଲି ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିବା ସେ କହିଛନ୍ତି।