୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ପ୍ରବଳ ପିଟିଲେ, ସ୍କୁଲ ଛାତରୁ ତଳକୁ ଫିଙ୍ଗି ଦେଲେ ଶିକ୍ଷକ

ବେଙ୍ଗାଲୁରୁ: ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଛି ମୃତ୍ୟୁଦଣ୍ଡ। ୪ର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ତାଙ୍କ ସ୍କୁଲ ଶିକ୍ଷକ ନିର୍ମମ ଭାବେ ହତ୍ୟା କରିଛନ୍ତି। ପ୍ରଥମେ ଶିକ୍ଷକ ଜଣଙ୍କ ୧୦ ବର୍ଷୀୟ ଛାତ୍ରଙ୍କୁ ପ୍ରବଳ ପିଟିଥିଲେ। ତଥାପି ତାଙ୍କ ରାଗ ଶାନ୍ତ ନ ହେବାରୁ ସେ ଛାତ୍ର ଜଣଙ୍କୁ ସ୍କୁଲର ପ୍ରଥମ ମହଲା ବାଲକୋନୀରୁ ସିଧା ତଳକୁ ଫିଙ୍ଗି ଦେଇଥିଲେ। ଏଥିରେ ଛାତ୍ର ଜଣଙ୍କ ପ୍ରାଣ ହରାଇଛନ୍ତି। କର୍ଣ୍ଣାଟକାର ହଗଲି ଗାଁରେ ଥିବା ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଘଟଣା ଘଟିଛି। ଏଠାରେ ପିଲାଙ୍କୁ ପାଠ ପଢ଼ାଉଥିବା ମୁଥାପ୍ପା ୪ର୍ଥ ଶ୍ରେଣୀର ଛାତ୍ର ଭରତଙ୍କୁ ମାରି ଦେଇଛନ୍ତି।

ଗଡକା ଜିଲ୍ଲାର ବରିଷ୍ଠ ପୁଲିସ୍‌ ଅଧିକାରୀ ଶିବପ୍ରକାଶ ଦେବରାଜୁ କହିଛନ୍ତି, କ’ଣ ପାଇଁ ଘଟଣା ଘଟିଛି, ସେକଥା ସ୍ପଷ୍ଟ ହୋଇନି। ଘଟଣାର ତଦନ୍ତ କରାଯାଉଛି। ଏହି ସ୍କୁଲର ଆଉ ଜଣେ ଶିକ୍ଷୟିତ୍ରୀ ହେଉଛନ୍ତି ଗୀତା ବାରକେର। ଭରତ ତାଙ୍କ ପୁଅ। ଶିକ୍ଷକ ମୁଥାପ୍ପା ନିର୍ଦ୍ଦୟ ଭାବେ ଭରତଙ୍କୁ ପିଟୁଥିବା ଦେଖି ଏଥିରେ ଗୀତା ହସ୍ତକ୍ଷେପ କରିଥିଲେ। ହେଲେ କିଛି ବି ଲାଭ ମିଳି ନଥିଲା। ମୁଥାପ୍ପା ତାଙ୍କୁ ମଧ୍ୟ ପ୍ରବଳ ମାଡ଼ ମାରିଥିଲେ। ଏଥିରେ ଗୀତା ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଥାପ୍ପା ଘଟଣା ପରେ ଫେରାର ହୋଇଯାଇଛନ୍ତି। ସେ ସ୍କୁଲରେ ଠିକା ନିଯୁକ୍ତି ପାଇଥିଲେ। ତାଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଛନ୍ତି।

ମୁଥାପ୍ପା କ୍ଲାସ ନେଉଥିବା ବେଳେ ହଠାତ୍‌ ରାଗି ଯାଇଥିଲେ। ଏହାପରେ ଲୁହା ରଡ୍‌ରେ ଭରତଙ୍କୁ ପିଟିଥିଲେ। ଶେଷରେ ସ୍କୁଲର ପ୍ରଥମ ମହଲାରୁ ସେ ଭରତଙ୍କୁ ତଳକୁ ଫିଙ୍ଗି ଦେଇଥିଲେ। ତୁରନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗୀତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। କିମ୍ସ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.