ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ରାତି ୧୦ଟା ପରେ ହଷ୍ଟେଲକୁ ଛାତ୍ରଛାତ୍ରୀଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ରାତି ୧୦ଟା ପରେ ହଷ୍ଟେଲକୁ ଛାତ୍ରଛାତ୍ରୀଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଇଛି। କେବଳ ଏତିକି ନୁହେଁ ହଷ୍ଟେଲକୁ ବାହାର ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି | ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଯଦି କୌଣସି ଛାତ୍ର ଏହି ନିୟମ ପାଳନ ନକରନ୍ତି ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାସ୍ତବରେ, ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଛାତ୍ର ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ରାତି ପ୍ରାୟ ସାଢେ ଗୋଟାଏବେଳେ ସୁଭାଷ ହଷ୍ଟେଲରୁ ଚା ପିଇବାକୁ ୧୫ରୁ ଅଧିକ ଛାତ୍ର ବାହାରକୁ ଯାଇଥିଲେ।
ସେହି ସମୟରେ ପାଟ୍ରୋଲିଂ କରୁଥିବା ପୁଲିସ ଛାତ୍ରମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୁଲିସ ଓ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିନା କାରଣରେ ପୁଲିସ ସେମାନଙ୍କୁ ମାଡ଼ ମାରିଥିବା ଛାତ୍ରମାନେ ଅଭିଯୋଗ କରିଥିଲେ । ଏହା ପରେ ଛାତ୍ରମାନେ ହଷ୍ଟେଲକୁ ଫେରିଥିଲେ ଏବଂ ସୁଭାଷ ହଷ୍ଟେଲର ପ୍ରାୟ ୭୦ରୁ ୮୦ ଜଣ ଛାତ୍ର ହାସଙ୍ଗଞ୍ଜ ପୁଲିସ ଷ୍ଟେସନରେ ପହଞ୍ଚି ପୁଲିସ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଆଉ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରି ଛାତ୍ରମାନଙ୍କୁ ହଷ୍ଟେଲକୁ ପଠାଇଥିଲେ। ତେବେ ବଡ଼କଥା ଯେ ଏହି ଧାରଣା ସମୟରେ ଛାତ୍ରମାନେ ମଧ୍ୟ ପରସ୍ପର ସହ ସଂଘର୍ଷ କରିଥିଲେ। ଜୁନିଅର ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ବରିଷ୍ଠ ଛାତ୍ରମାନେ ସେମାନଙ୍କୁ ମାଡ଼ ମାରିଛନ୍ତି। ଜଣେ ଛାତ୍ର ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି |

nis-ad
Leave A Reply

Your email address will not be published.