ସୁପ୍ରିମକୋର୍ଟରେ ବିଲକିସ ବାନୋ ନିରାଶ, ପୁନର୍ବିଚାର ଆବେଦନ ଖାରଜ୍

ନୂଆଦିଲ୍ଲୀ: ୨୦୦୨ରେ ତାଙ୍କ ସହିତ ଗଣଦୁଷ୍କର୍ମ କରିବା ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ହତ୍ୟା କରିଥିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିବା ୧୧ଜଣ ବ୍ୟକ୍ତିଙ୍କୁ ଶୀଘ୍ର ମୁକ୍ତ କରାଯିବା ଆଦେଶକୁ ଚାଲେଞ୍ଜ୍‌ କରି ବିଲ୍‌କିସ୍‌ ବାନୋ ଫାଇଲ୍‌ କରିଥିବା ‘ରିଭ୍ୟୁ ପିଟିସନ୍‌’କୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।

ଆଡ୍‌ଭୋକେଟ୍‌ ଶୋଭା ଗୁପ୍ତାଙ୍କ ମାଧ୍ୟମରେ ବିଲ୍‌କିସ୍‌ ‘ରିଭ୍ୟୁ ପିଟିସନ୍‌’ ଦାଏର କରିଥିଲେ। ଏଥିରେ ବିଲ୍‌କିସ୍‌ ମଧ୍ୟ ଦର୍ଶାଇ ଥିଲେ କି, ସମସ୍ତ ଦୋଷୀଙ୍କୁ ଆଗୁଆ ମୁକ୍ତ କରାଯିବା ସଂକ୍ରାନ୍ତ ସବୁ କାଗଜପତ୍ର ପାଇବା ପାଇଁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। କିନ୍ତୁ, ବାରମ୍ବାର ରିମାଇଣ୍ଡର୍‌ ଦେବା ସତ୍ତ୍ବେ ରାଜ୍ୟ ସରକାରଙ୍କ ପାଖରୁ କିଛି ମିଳିଲା ନାହିଁ।

ଉପରୋକ୍ତ ଅପରାଧ ନିମନ୍ତେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ଜଣଙ୍କୁ ୨୦୦୮ରେ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା। କିନ୍ତୁ, ଗୁଜରାଟ ସରକାରଙ୍କ ‘ରିମିସନ୍‌ ପଲିସି’ ବ୍ୟବସ୍ଥାରେ ଅନୁମତି ଦେବା ପରେ ଅଗଷ୍ଟ ୧୫ ତାରିଖ ଦିନ ୧୧ଜଣଙ୍କୁ ଗୋଧ୍ରା ଉପକାରାଗାରରୁ ମୁକ୍ତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଘଟଣା ଗୁଜରାଟରେ ଘଟିଥିବାରୁ ‘ରିମିସନ୍‌’ ଅନୁରୋଧ ଉପରେ ବିଚାର କରିବାର କ୍ଷମତା ଗୁଜରାଟ ସରକାରଙ୍କର ଥିବା କଥା ୨୦୨୨ ମେ’ରେ ବିଚାରପତି ଅଜୟ ରସ୍ତୋଗି ଏବଂ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ। ଏହାଛଡ଼ା, ୧୯୯୨ର ‘ରିମିସନ୍‌ ପଲିସି’ ଅନୁସାରେ, ‘ରିମିସନ୍‌’ ଆବେଦନଗୁଡ଼ିକର ବିଚାର ୨ ମାସ ମଧ୍ୟରେ କରିବା ଲାଗି ଖଣ୍ଡପୀଠ ଗୁଜରାଟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

nis-ad
Leave A Reply

Your email address will not be published.