ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାମୁହିଁ ,୨୫୦୦ ପୁଲିସ ମୁତୟନ

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାମୁହିଁ ହେଉଛନ୍ତି। ଉଭୟ ପରସ୍ପର ବିରୋଧରେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବାରୁ ପୁଲିସ ପାଇଁ ଚିନ୍ତା ବଢ଼ିଛି।  ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ  ମହା ବିକାଶ ଅଘାଡ଼ି (ଏମଭିଏ)  ପକ୍ଷରୁ ଏକ ‘ହାଲା ବୋଲ’ ଆରମ୍ଭ ହେଉଛି। ରାଜ୍ୟରେ ଏକନାଥ ସିନ୍ଧେଙ୍କ ସରକାର ବିରୋଧରେ ଏହି ପ୍ରତିବାଦ କରାଯାଉଛି। ଅପରପକ୍ଷରେ ଶାସକ ସହଯୋଗୀ ବିଜେପି ପକ୍ଷରୁ ଏକ କାଉଣ୍ଟର ଆନ୍ଦୋଳନ କରାଯାଉଛି।  ଫଳରେ ଯେମିତି ଆଇନ ପରିସ୍ଥିତି ସୃଷ୍ଟି ନହୁଏ  ପୁଲିସ ସଜାଗ ହୋଇଛି। ଏଥିପାଇଁ ୨୫୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ରାସ୍ତାରେ ନିୟୋଜିତ କରାଯାଇଛି । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ୩୧୭ ପୁଲିସ ଅଧିକାରୀ, ୧୮୭୦ କନଷ୍ଟେବଳ, ୨୨ ପ୍ଲାଟୁନ୍ ରାଜ୍ୟ ରିଜର୍ଭ ପୁଲିସ ଫୋର୍ସ ଏବଂ ଏବଂ ଦଙ୍ଗା ନିୟନ୍ତ୍ରଣ ପାଇଁ ଅତି କମରେ ୩୦ଟି ସ୍କ୍ୱାର୍ଡ଼କୁ ମୁତୟନ କରାଯାଇଛି ।

ଏମଭିଏର ଅଭିଯୋଗ ଅନୁଯାୟୀ, ମହରାଷ୍ଟ୍ରର ଗୌରବ ଛତ୍ରପତି ଶିବାଜୀ ମହାରାଜ ଏବଂ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଭଳି ମହାନ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଅପମାନ କରିଛନ୍ତି। ଅନ୍ୟ କାରଣଟି ହେଉଛି ମହାରାଷ୍ଟ୍ର ସୀମାନ୍ତରେ କର୍ଣ୍ଣାଟକ ଶିଳ୍ପ ପ୍ରୋଜେକ୍ଟକୁ ନେଇ ମରାଠୀ ବକ୍ତା ସ୍ୱର ଉଠାଇଥିବା ବେଳେ ତାଙ୍କ ବିରୋଧରେ ସରକାର ଆଟ୍ରୋସିଟି ଲଗାଇ ଜେଲ ଭିତରେ ରଖିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ନାନା ପାଟୋଲ କହିଛନ୍ତି ଯେ , ଏହି ପ୍ରତିବାଦରେ ଏକନାଥ ସିନ୍ଦେ ନେତୃତ୍ୱାଧୀନ ଶିବସେନା ଦଳ ଏବଂ ବିଜେପି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ମହା ବିକାଶ ଅଘାଡିଙ୍କ ଶୋଭାଯାତ୍ରା ଜେଜେ ହସ୍ପିଟାଲ ନିକଟରେ ଆରମ୍ଭ ହୋଇ ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସରେ ପହଞ୍ଚିବ। ସେପଟେ ବିଜେପିର ମୁମ୍ବାଇ ୟୁନିଟ ମୁଖ୍ୟ ଆଶିଷ ଶେଲାର ଶୁକ୍ରବାର, ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଶନିବାର ମୁମ୍ବାଇରେ ‘ମାଫି ମାଙ୍ଗୋ’ ନାରା ନେଇ ଆନ୍ଦୋଳନ କରିବ। କାରଣ ଏମଭିଏ  ହିନ୍ଦୁ ଦେବତା ଓ ବିଆର ଆମ୍ବେଦକରରଙ୍କୁ ଅପମାନିତ କରିଛି। ତେଣୁ ଏମଭିଏ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.