ଦାରିଦ୍ର୍ୟ ମୁକ୍ତ କରି ଦୀର୍ଘସ୍ଥାୟୀ ବିକାଶ ହାସଲ ନିମନ୍ତେ ୧୭ଗୋଟି ଲକ୍ଷ୍ୟ…

ଫୁଲବାଣୀ : ଆମେ ଚାହୁଁଥିବା ଭବିଷ୍ୟତ ଓ ଜନମାନସର ସାମଗ୍ରିକ ଉନ୍ନତି ପାଇଁ ଭାଗିଦାରୀ ଆଧାରରେ ସହସ୍ରାଦ୍ଧ ବିକାଶ ଲକ୍ଷ୍ୟର ବିଭିନ୍ନ ସଫଳତାକୁ ପାଥେୟ କରି ବିଶ୍ବଶାନ୍ତି ବଜାୟ ରଖିବାରେ ଜାତିସଂଘ ଦ୍ବାରା ବିଶ୍ଵର ୧୯୩ଟି ଦେଶ ପାଇଁ ୧୭ଟି ନିରନ୍ତର ତଥା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ମସିହା ମଧ୍ୟରେ ପୂରଣ କରାଯିବାର ଧାର୍ଯ୍ୟ କରାଯାଇଛି । ଏହି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଗୁଡ଼ିକର ବିସ୍ତୃତ କାର୍ଯ୍ୟାବଳୀକୁ ଚୟନ କରିବାରେ ଭାରତ ସରକାର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଦାରିଦ୍ର୍ୟ ଦୂର କରି ସମଗ୍ର ଦେଶକୁ ଶାନ୍ତି ଓ ପ୍ରଗତିରେ ଆଗକୁ ନେବା ହେଉଛି ଏହି ୧୭ ଗୋଟି ବିକାଶ ଲକ୍ଷ୍ୟଗୁଡ଼ିକର ମୂଳ ଉଦ୍ଦେଶ୍ୟ । ଓଡ଼ିଶା ସରକାର ମଧ୍ୟ ଏହି ବିକାଶ ଲକ୍ଷ୍ୟ ହାସଲ ହେବା ନିମନ୍ତେ ପ୍ରାଥମିକତା ଦେଇଛନ୍ତି। ‘5 T ‘ ଓ ’ମୋ ସରକାର’ ଭଳି ଲୋକାଭିମୁଖୀ ଶାସନ ଢାଞ୍ଚା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଏକ ଅଭିନବ ପଦକ୍ଷେପ। ସରକାରଙ୍କର ବିଭିନ୍ନ ଗ୍ରାମୀଣ ବିକାଶ ତଥା ଜନ କଲ୍ୟାଣ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଲେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟଗୁଡ଼ିକ ଦ୍ଵାରା ଚିହ୍ନିତ ହୋଇଥିବା ସମସ୍ୟା ଗୁଡ଼ିକର ନିରାକରଣ ଦିଗରେ ବିଶେଷ ଭାବରେ ସହାୟକ ହେବ । କନ୍ଧମାଳ ଜିଲ୍ଲାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଯାଇଛି । ଏଥୁରେ ଅଧ୍ୟକ୍ଷତା କରି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ୍ ଆଶିଷ ଇଶ୍ବର କହିଲେ, ସାମଗ୍ରିକ ବିକାଶ ପାଇଁ ଭାଗିଦାରୀ ଆଧାରରେ ଆମକୁ ସମ୍ବିଧାନର ଏକାଦଶ ଅନୁସୂଚୀରେ ବର୍ଣ୍ଣିତ ୨୯ ଗୋଟି ବିଷୟ ଉପରେ ଯୋଜନା ପ୍ରସ୍ତୁତି ଓ ଏହାର କାର୍ଯ୍ୟାନ୍ଵୟନକୁ ଗୁରୁତ୍ବ ଦେବାକୁ ପଡ଼ିବ ଯେପରିକି କୌଣସି ହିତାଧୂକାରୀ ବା ଗ୍ରାମ ଏଥୁରୁ ବାଦ୍ ପଡ଼ିବେ ନାହିଁ। ଗ୍ରାମାଞ୍ଚଳ ବିକାଶର ପ୍ରମୁଖ ଅଂଶୀଦାର ପଞ୍ଚାୟତିରାଜ ଜନ ପ୍ରତିନିଧୂ, ସରକାରୀ ଅଧିକାରୀ ଓ ଜନସାଧାରଣ ମିଳିତ ଭାବେ ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିପାରିଲେ ୨୦୩୦ ମସିହା ମଧ୍ୟରେ ଏହି ଦୀର୍ଘସ୍ଥାୟୀ ଲକ୍ଷ୍ୟଗୁଡ଼ିକୁ ପରିବେଶ ଉପରେ ପ୍ରଭାବ ନ ପକାଇ ସହଜରେ ହାସଲ କରାଯାଇପାରିବ । କାରଣ ଆମକୁ ଆମ ଜିଲ୍ଲା, ରାଜ୍ୟ ତଥା ଦେଶ କଥା ଚିନ୍ତା ନ କରି ସାରା ବିଶ୍ଵ କଥା ଚିନ୍ତା କରିବାକୁ ପଡ଼ିବ ବୋଲି ଜିଲାପାଳ କହିଥିଲେ । ସେହିପରି ମୁଖ୍ୟ ଉନ୍ନୟନ ଅଧିକାରୀ –ତଥା- କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ବିଶ୍ୱରଞ୍ଜନ ନାୟକ ତାଙ୍କ ପ୍ରାରମ୍ଭିକ ସମ୍ଭାଷଣରେ କହିଲେ, ବିଶ୍ବର ପରିବର୍ତ୍ତିତ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ୨୦୩୦ ମସିହା ସୁଦ୍ଧା ଦାରିଦ୍ର୍ୟ ମୁକ୍ତ କରି ଦୀର୍ଘସ୍ଥାୟୀ ବିକାଶ ହାସଲ ନିମନ୍ତେ ୧୭ଗୋଟି ଲକ୍ଷ୍ୟ ସହିତ ୧୬୯ ଟାର୍ଗେଟ୍ ୧୫ ବର୍ଷ ମଧ୍ୟରେ ହାସଲ କରିବାକୁ ସ୍ଥିର କରିଛି । ଏଥିପାଇଁ ଆମଙ୍କୁ ଆମ ମାନସିକତାକୁ ବଦଳାଇବାକୁ ପଡ଼ିବ ଏବଂ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକୁ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନାୟକ କହିଥିଲେ ।ଉପ ନିର୍ଦ୍ଦେଶକ, ଯୋଜନା ଭିମସେନ ବାର୍ଲା ସ୍ବାଗତ ଭାଷଣ ଦେଇଥିବା ବେଳେ ସହକାରୀ ନିର୍ଦ୍ଦେଶକ, ଯୋଜନା ଓ ସମନ୍ଵୟ ବିଭାଗ, ଭୁବନେଶ୍ୱର ଶ୍ରୀମତୀ ଅଳକା ଜେନା, ସୋସିଆଲ୍ ସେକ୍ଟର ଲିଡ୍, ଏସ୍.ଡି.ଜି.-ପି.ଏମ୍.ୟୁ., ଯୋଜନା ଓ ସମନ୍ବୟ ବିଭାଗ,ଭୁବନେଶ୍ଵର ଡଃ.ରମେଶ ଚେଲାନ୍, ଆନାଲିଷ୍ଟ,ଏସ୍.ଡି.ଜି.-ପି.ଏମ୍.ୟୁ., ଯୋଜନା ଓ ସମନ୍ଵୟ ବିଭାଗ, ଭୁବନେଶ୍ଵର ଡଃ. ପ୍ରମୋଦ କୁମାର ମଲ୍ଲିକ, ଜୋନାଲ୍ କୋର୍ଡିନେଟର୍‌, ଲିଭିଙ୍ଗ୍ ଫାର୍ମ, ଓଡ଼ିଶା ଶ୍ରୀ ଆଲୋକ ରଞ୍ଜନ ଦାସ ପାୱାର ପଏଣ୍ଟ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.