ସୁନ୍ଦରଗଡ଼ରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ : ପ୍ରଥମ ଦିନରେ ଖୋଖୋ ଏବଂ ଭଲିବଲ ପ୍ରତିଯୋଗିତାରେ ଭାଗନେଲେ ୪୯ଟି ଟିମ୍

ସୁନ୍ଦରଗଡ଼ : ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଅଧିକ ଆକର୍ଷଣୀୟ କରିବା ପାଇଁ ଜନସାଧାରଣଙ୍କୁ ଯୋଡ଼ି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ଶୁକ୍ରବାର ଦିନ ସୁନ୍ଦରଗଡ଼ ଉପଖଣ୍ଡରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଏ ଏଲ ନାୟର ଷ୍ଟାଡିୟମଠାରେ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରୁ ପ୍ରତିଯୋଗୀମାନେ ଏକ ମଶାଲ ଶୋଭାଯାତ୍ରାରେ ଆସିବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଉପଖଣ୍ଡର ୪୯ଟି କଲେଜ ଯୋଡ଼ି ହୋଇଥିଲା। ୪୮୦ରୁ ଅଧିକ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ। ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଏବଂ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରଥମ ଦିନରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଭଲିବଲ ଏବଂ ଖୋଖୋ ପ୍ରତିଯୋଗିତା ହୋଇଥିଲା। ଭଲିବଲ ପ୍ରତିଯୋଗିତାରେ ମୋଟ ୨୦ଟି ଟିମ ଭାଗ ନେଇଥିଲେ। ସେଥିମଧ୍ୟରେ ପୁରୁଷ ବର୍ଗରେ ୧୫ଟି ଏବଂ ମହିଳା ବର୍ଗରେ ୫ଟି ଟିମ ଅଂଶଗ୍ରହଣ କରିଥିଲେ।

ଭଲିବଲ ପୁରୁଷ ବର୍ଗରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିଲା। ବଡ଼ଗାଁ ପଞ୍ଚାୟତ ସମିତି ମହାବିଦ୍ୟାଳୟ ରନର୍ସଅପ୍ ହୋଇଥିଲା। ମହିଳା ବର୍ଗରେ ରାଜଗାଙ୍ଗପୁରସ୍ଥିତ ସର୍ବତୀ ମହିଳା ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିବା ବେଳେ ଛଟେନପାଲିସ୍ଥିତ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରନର୍ସଅପ୍ ହୋଇଥିଲା।

ସେହିପରି ଖୋଖୋ ପ୍ରତିଯୋଗିତାରେ ୨୯ଟି ଦଳ ଭାଗ ନେଇଥିଲେ। ପୁରୁଷ ବର୍ଗରେ ୧୬ ଏବଂ ମହିଳା ବର୍ଗରେ ୧୩ଟି ଟିମ ଭିତରେ ପ୍ରତିଯୋଗିତା ହୋଇଥିଲା।

ଖୋଖୋ ପୁରୁଷ ବର୍ଗରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିବା ବେଳେ ରନର୍ସଅପ୍ ହୋଇଥିଲା କିଞ୍ଜିର୍ମାସ୍ଥିତ ଇଲା ମେମୋରିଆଲ ପଞ୍ଚାୟତ ସମିତି ମହାବିଦ୍ୟାଳୟ। ମହିଳା ବର୍ଗରେ ରାଜଗାଙ୍ଗପୁରର ସର୍ବତୀ ଦେବୀ ମହିଳା ମହାବିଦ୍ୟାଳୟ ବିଜୟୀ ଏବଂ ଡାଲମିଆ କଲେଜ ରନର୍ସଅପ୍ ହୋଇଥିଲା।

ଚାମ୍ପିୟନ ଟିମକୁ ପୁରସ୍କାର ବାଦରେ ଟ୍ରଫି, ମାନପତ୍ର ସହିତ ୧୦ ହଜାର ଟଙ୍କା ଦିଆଯାଇଛି। ସେହିପରି ରନର୍ସଅପ ଟିମକୁ ଟ୍ରଫି, ମାନପତ୍ର ସହିତ ୬ ହଜାର ଟଙ୍କା ଦିଆଯାଇଛି।

ଶନିବାର ଦିନ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ କବାଡ଼ି ପ୍ରତିଯୋଗିତା ହେବ। ରବିବାର ଦିନ ଦୌଡ଼କୁଦ ସହିତ ହାଇଜମ୍ପ, ଲଙ୍ଗଜମ୍ପ, ଜ୍ୟାଭଲିନ ଏବଂ ଡିସକସ୍ ଥ୍ରୋ ଆଦି ପ୍ରତିଯୋଗିତା ହେବ।

ଏହି କାର୍ଯ୍ୟକ୍ରମରେ ହକି ବିଶ୍ୱକପ୍ ପାଇଁ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ବିଧାୟିକା ଏବଂ ଜିଲ୍ଲାପାଳଙ୍କ ସହିତ ଅନ୍ୟ ଅତିଥିମାନେ ଏଥିରେ ଦସ୍ତଖତ କରିଥିଲେ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଡେପୁଟି କଲେକ୍ଟର ସୁଶ୍ରୀ ପ୍ରଧାନ, ଏସଇସିଏଲ୍ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ, ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଳିତ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.