ପେନସନ୍ ଓ ପ୍ରମୋଶନ ଅଦାଲତ ଖୁବଶୀଘ୍ର, ଖୋଲିବ ହେଲ୍ପଡେସ୍କ

ଭୁବନେଶ୍ୱର: ସରକାରୀ ଚାକିରିଆ ମାନଙ୍କ ନିମନ୍ତେ ଖୁସି ଖବର। ବିଭିନ୍ନ ପଦବୀରେ ସରକାରୀ ଚାକିରିଆ ଭାବେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ନୀୟମାନୁଯାୟୀ ସମୟ ଭିତ୍ତିକ ପଦୋନ୍ନତି ଏବଂ ଚାକିରୀରୁ ଅବସର ଗ୍ରହଣ ପରେ ସହଜରେ ସେମାନଙ୍କୁ ପେନସନ ପ୍ରଦାନ ନିମନ୍ତେ ବର୍ତ୍ତମାନ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଚାକିରିରୁ ଅବସର ଗ୍ରହଣ ପରେ ଦୀର୍ଘ୍ୟ ଦିନଧରି ପେନସନ୍ ପାଇନଥିବା କର୍ମଚାରୀମାନେ ଏଣିକି ଜିଲ୍ଲାସ୍ତରୀୟ କାର୍ୟ୍ୟାଳୟରେ ପେନସନ୍ ନିମନ୍ତେ ଆବେଦନ କରିପାରିବେ। ଏଥି ନିମନ୍ତେ ସମସ୍ତ ସହଯୋଗ କରିବାକୁ ବିଭିନ୍ନ ବିଭାଗର ନିର୍ଦ୍ଦେଶକଙ୍କ ମାଧ୍ୟମରେ ସଂପୃକ୍ତ ଜିଲାସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି।

ଏ ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଖୁବଶୀଘ୍ର ପେନସନ୍ ଅଦାଲତ ଅନୁଷ୍ଠିତ ହେବ। ଏଥିନିମନ୍ତେ ତାରିଖ ଓ ସ୍ଥାନ ଘୋଷଣା କରାଯିବ। ଏଥିପୂର୍ବରୁ ଜିଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ କାର୍ୟ୍ୟାଳୟରୁ ଅବସର ଗ୍ରହଣ କରି ପେନସନ୍ ପାଇନଥିବା କର୍ମଚାରୀଙ୍କୁ ଯୋଗାଯୋଗ କରି ସମସ୍ତ ଆବଶ୍ୟକୀୟ କାଗଜପତ୍ର ନିମନ୍ତେ ସହଯୋଗ କରିବେ। ଏଥି ନିମନ୍ତେ ପ୍ରତି କାର୍ୟ୍ୟାଳୟରେ ହେଲ୍ପଡେସ୍କ ଖୋଲାଯିବ। ଏହାଦ୍ୱାରା କର୍ମଚାରୀମାନେ ସହଜରେ ଆବଶ୍ୟକୀୟ ପେନସନ୍ କାଗଜପତ୍ର ପ୍ରଦାନ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ, ପଂଚାୟତି ରାଜ, ଗୃହ, ଗ୍ରାମ୍ୟ ଉନ୍ନୟନ ଓ ଜଙ୍ଗଲ ବିଭାଗରେ ଅଧିକ ସଂଖ୍ୟକ କର୍ମଚାରୀ ଥିବାରୁ ଏଥି ନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦିଆଯାଇଛି। ସଂପୃକ୍ତ ବିଭାଗର ନିର୍ଦ୍ଦେଶକମାନେ ସେମାନଙ୍କ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଏଥିନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।

ଏପରିକି ବିଭିନ୍ନ ତଥ୍ୟ ଅଭାବରୁ, ବୟସାଧିକ, ସ୍ୱାମୀ କିମ୍ୱା ସ୍ତ୍ରୀଙ୍କ ମୃତ୍ୟୁ କାରଣରୁ ପେନସନରୁ ବଞ୍ଚିତ କର୍ମଚାରୀଙ୍କ ଘରୁ ପେନସନ୍ ପତ୍ର ସଂଗ୍ରହ କରିବାକୁ ଜିଲାସ୍ତରୀୟ କାର୍ୟ୍ୟାଳୟର ମୁଖ୍ୟମାନଙ୍କୁ ନିର୍ଦେଶ ଦିଆଯାଇଛି। ଏଥି ନିମନ୍ତେ ଆବଶ୍ୟକ ପଡିଲେ ଅନଲାଇନ ମାଧ୍ୟମରେ ପେନସନ୍ ପତ୍ର ସଂଗ୍ରହ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ।
ଏତତ୍ ବ୍ୟତୀତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିୟମାନୁଯାୟୀ ଯୋଗ୍ୟତା ଭିତ୍ତିକ ପଦୋନ୍ନତି ନିମନ୍ତେ ମଧ୍ୟ ଅଦାଲତ ଅନୁଷ୍ଠିତ ହେବ। ଏଥିନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ସମେତ ୭ ଜଣ ବରିଷ୍ଠ ଅଧିକାରୀ ଅଦାଲତ କରିବେ। ସେମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରାଯିବ। ତିନି ଦିନ ଧରି ଏହି ଅଦାଲତ ଅନୁଷ୍ଠିତ ହେବ। ଖୁବଶୀଘ୍ର ଏଥିନିମନ୍ତେ ତାରିଖ ଓ ସ୍ଥାନ ଘୋଷଣା କରାଯିବ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ବିଭିନ୍ନ ବିଭାଗୀୟ ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.