ଧର୍ମଘଟକୁ ଓହ୍ଲାଇବ ଟ୍ରକ୍ ମାଲିକ ସଂଘ

କଟକ : ସ୍କ୍ରାପିଙ୍ଗ ପଲିସିକୁ ବିରୋଧ କରି ଟ୍ରକ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇବ ବୋଲି ଆଜି କହିଛି। ଦାବି ପୂରଣ ନ ହେଲେ ଆସନ୍ତା ମାସ ୧୧ରୁ ଏଭଳି ଚରମ ପଦକ୍ଷେପ ନିଆଯିବ। ପ୍ରେସ୍‌ ମିଟ୍ କରି ସରକାରଙ୍କୁ ଏଭଳି ଚେତାବନୀ ଦେଇଛି ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ଫେଡେରେସନ୍।
୨୦୨୩ରୁ ଲାଗୁ ହେବ ସ୍କ୍ରାପିଙ୍ଗ୍ ନୀତି। ଯେଉଁଥିରେ ୧୫ ବର୍ଷ ପୁରୁଣା ଯେଉଁ ଗାଡ଼ି ଫିଟ୍‌ନେସ୍ ଟେଷ୍ଟରେ ଫେଲ୍ ହେବ, ସେସବୁ ସ୍କ୍ରାପ୍ ପାଲଟିଯିିବ। ଏଥିପାଇଁ ନିକଟରେ ରାଜ୍ୟ ସରକାର ଆଣିଛନ୍ତି ନୂଆ ସ୍କ୍ରାପିଙ୍ଗ୍ ପଲିସି। ହେଲେ ଏଇ ପଲିସିରେ ଯେଉଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା ହୋଇଛି ତାହା ସମୁଦ୍ରକୁ ଶଙ୍ଖେ ବୋଲି ଗାଡ଼ି ମାଲିକମାନେ ଅଭିଯୋଗ କରିଛନ୍ତି। ଖାଲି ଟ୍ରକ୍‌ ମାଲିକମାନେ ନୁହେଁ ବିଭିନ୍ନ ଘରୋଇ ଗାଡ଼ିର ମାଲିକମାନେ ମଧ୍ୟ ସମାନ କଥା କହୁଛନ୍ତି।
କାରଣ ଅନେକ ଗାଡ଼ି ୧୮ ବର୍ଷରୁ ଅଧିକ ଗଡ଼ି ଥିଲେ ହେଁ ଇଞ୍ଜିନ୍ ଆଜି ବି ପୂରା ଟିପ୍‌ଟପ୍ ଥିବା ମାଲିକମାନେ ମତ ଦେଇଛନ୍ତି। ସବୁ ବେଳେ ତ ନୁହେଁ, କେତେବେଳେ କେମିତି କାର୍‌ ଧରି ପରିବାର ସହ ବାହାରକୁ ଯିବା କଥା, ହେଲେ ନୂଆ ସ୍କ୍ରାପିଂ ପଲିସିରେ ଏଭଳି ଗାଡ଼ି ମଧ୍ୟ ବାଦ୍ ପଡ଼ିବନି।
ଗାଡ଼ି ସ୍କ୍ରାପ୍ ହେବା ପରେ ଗାଡ଼ି ମାଲିକଙ୍କୁ ସାର୍ଟିଫିକେଟ୍ ସହ ଏକ୍ସ-ସୋରୁମ୍ ମୂଲ୍ୟର ଯେଉଁ ୬ ପ୍ରତିଶତ ଅର୍ଥ ଦିଆଯିବାର ବ୍ୟବସ୍ଥା ରହିଛି ତାହା କୋଉ କାମକୁ ନୁହଁ। ଅନ୍ତତଃ ଏହି ରାଶିକୁ ୨୦ରୁ ୨୫ ପ୍ରତିଶତକୁ ବୃଦ୍ଧି କରାଯିବାକୁ ଦାବି ହୋଇଛି। ବାଣିଜ୍ୟିକ ଗାଡ଼ି ଜରିଆରେ ପରିବାର ଚଳାଉଥିବା ସବୁ ପୁରୁଣା ଗାଡ଼ି ମାଲିକଙ୍କ ଭିତରେ ବି ସମାନ ଅସନ୍ତୋଷ ଦାନା ବାନ୍ଧୁଛି। ଏପରିକି ସ୍କ୍ରାପିଂ ପଲିସିକୁ ବିରୋଧ କରି ଟ୍ରକ୍ ଧର୍ମଘଟକୁ ଓହ୍ଲାଇବାକୁ ଘୋଷଣା କରିଛି। ଓଡ଼ିଶା ଷ୍ଟେଟ୍ ଟ୍ରକ୍ ଓନର୍ସ ଫେଡେରେସନ୍ ସଂଘ ଦାବି କରିଛି ପଲିସିରେ ପରିବର୍ତ୍ତନ ଆଣି ସରକାର ସ୍କ୍ରାପିଂ ହେବାକୁ ଥିବା ବାଣିଜ୍ୟିକ ଗାଡ଼ିର ବୟସକୁ ୧୫ ବର୍ଷ ବଦଳରେ ୨୦ ବର୍ଷ କରନ୍ତୁ। ଟିକସ ରିହାତିକୁ ୧୫ ପ୍ରତିଶତରୁ ୨୫ ପ୍ରତିଶତ ଏବଂ ସ୍କ୍ରାପ୍ ଭାଲ୍ୟୁ ୬ ବଦଳରେ ୧୫ ପ୍ରତିଶତକୁ ବଢ଼ାଯାଉ। ଆସନ୍ତା ୩୧ ତାରିଖ ସୁଦ୍ଧା ସରକାର ଏହା ଉପରେ ବିଚାର ନକଲେ ଜାନୁଆରୀ ୧୧ ତାରିଖରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବୁ ବୋଲି ଓଡ଼ିଶା ଟ୍ରକ୍ ଓନର୍ସ ଫେଡେରେସନ୍ ସଂପାଦକ ରବି ଶତପଥୀ କହିଛନ୍ତି। ଓଡ଼ିଶା ସ୍କ୍ରାପିଙ୍ଗ୍ ପଲିସି ଅନୁସାରେ ରାଜ୍ୟରେ ଏବେ ୧୮ ଲକ୍ଷରୁ ଅଧିକ ପୁରୁଣା ଅନ୍‌ଫିଟ୍ ଗାଡ଼ି ରହିଛି। ଯାହାକି ସ୍କ୍ରାପ୍ ହେବା ଯୋଗ୍ୟ। ତେଣୁ ସଡ଼କ ଦୁର୍ଘଟଣା ହ୍ରାସ ସହ ପ୍ରଦୂଷଣ ମୁକ୍ତ ଯାତାୟତ ଲାଗି ଲାଗୁ ହୋଇଥିବା ନୂଆ ସ୍କ୍ରାପିଂ ନୀତି ପ୍ରତି ସମସ୍ତଙ୍କ ସହଯୋଗ ଦରକାର ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ସୂଚନା ଥାଉକି, କେନ୍ଦ୍ର ସରକାରଙ୍କ ସ୍କ୍ରାପେଜ୍ ନୀତି ଅନୁସାରେ, ୨୦୨୩ ଏପ୍ରିଲ ପହିଲାରୁ ଭାରିଯାନ ଓ ୨୦୨୩ ଜୁନ୍ ପହିଲାରୁ ଅନ୍ୟ ସମସ୍ତ ଯାନର ଫିଟ୍‌ନେସ୍‌ ଟେଷ୍ଟ କେବଳ ସ୍ୱୟଂକ୍ରିୟ ଟେଷ୍ଟିଂ ସେଣ୍ଟରରେ କରାଯିବ। ଯେଉଁ ଗାଡ଼ି ଏହି ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହେବ, ସେହି ଗାଡ଼ିକୁ ସ୍କ୍ରାପ୍ କରାଯିବ।

nis-ad
Leave A Reply

Your email address will not be published.