ଉଦଘାଟନ ପରେ ବି ସ୍ମାର୍ଟ ସ୍କୁଲ କାମ ଅସମ୍ପୂର୍ଣ୍ଣ : ବାରି ହେଉଛି ଦୁର୍ନୀତି ଗନ୍ଧ…


ବୁଗୁଡ଼ା : ତା ୦୯/୧୨/୨୨ : ସ୍ମାର୍ଟ ସ୍କୁଲ ନାଆଁରେ ହରିଲୁଟ୍ l ଠିକାଦାର ସାଜିଥିଲେ ବିଡ଼ିଓ l ପ୍ରଧାନ ଶିକ୍ଷକ ନାଆଁରେ କାର୍ଯ୍ୟାଦେଶ ଥିଲେ ମଧ୍ୟ କେବଳ ଜଳ ଜଳ ଦେଖିବା ଛଡା ଆଉ କିଛି ଉପାୟ ନଥିଲା ତାଙ୍କର l ବିଡ଼ିଓ ଯେତେବେଳେ ଯାହା ଟଙ୍କା ମାଗୁଥିଲେ ସେମାନେ କେବଳ ଟଙ୍କା ଉଠାଇ ଦେଉଥିଲେ l କାମ ନ ସରୁଣୁ ଉଦଘାଟନ ହୋଇଗଲା ଆଉ ବିଡ଼ିଓଙ୍କ ଚାପରେ ପଡି ୟୁସି ମଧ୍ୟ ଦେଇଦେଲେ l ହେଲେ ଏବେ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ l କୌଣସି ବିଦ୍ୟାଳୟରେ ଏ ପର୍ଯ୍ୟନ୍ତ ସବୁ କାମ ସମ୍ପୂର୍ଣ୍ଣ ହୋଇନି l ବିଶେଷକରି ଅଧିକାଂଶ ବିଦ୍ୟାଳୟରେ ଶୌଚାଳୟ ନଥିବା ଫଳରେ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି ଛାତ୍ରୀ l ସରକାରୀ ବିଦ୍ୟାଳୟକୁ ଆକୃଷ୍ଟ କରିବା ସହ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କରିବା ପାଇଁ ଫାଇବ ଟି ଯୋଜନାରେ ବିଭିନ୍ନ ହାଇସ୍କୁଲକୁ ରୂପାନ୍ତରିତ କରାଯାଇ ସ୍ମାର୍ଟ ସ୍କୁଲରେ ପରିଣତ କରା ଯାଇଛି l ପ୍ରତ୍ୟେକ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ, ଲାଇବ୍ରେରୀ, ଲ୍ଯାବୋରେଟରୀ , ସ୍ମାର୍ଟ ଶୌଚାଳୟ, ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ସ୍କୁଲ ପରିବେଶ ଚକାଚକ୍ କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ୪୫ ଲକ୍ଷ ଟଙ୍କା ଲେଖାଏଁ ସରକାର ଅନୁଦାନ ଦେଇଥିବା ବେଳେ ନିଅଣ୍ଟିଆ ହେଲେ ପଞ୍ଚାୟତ ତରଫରୁ ବଳକା ଟଙ୍କା ଖର୍ଚ୍ଚ କରି ପାରିବେ ବୋଲି ଗାଇଡ଼୍ ଲାଇନ୍ ରହିଥିଲା l ଏହି ଯୋଜନା ଅନୁସାରେ ତିନୋଟି ପର୍ଯ୍ୟାୟରେ ବୁଗୁଡ଼ା ବ୍ଲକର ଅନେକ ହାଇସ୍କୁଲକୁ ଫାଇଭ୍-ଟି ଯୋଜନାରେ ସାମିଲ କରାଯାଇଛି ଏବଂ ପର୍ଯ୍ୟାୟକ୍ରମେ ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରି ସାରିଛନ୍ତି ତେବେ ସମ୍ପୂର୍ଣ୍ଣ କାମ ନ ସରୁଣୁ ତରବରିଆ ଭାବେ ଏ ସବୁ ଉଦଘାଟନ ହୋଇଥିବା ବେଳେ ଏବେ ଉଦଘାଟନ ହେବାର ବର୍ଷେ ପରେ ମଧ୍ୟ କୌଣସି ସ୍କୁଲର କାମ ସମ୍ପୂର୍ଣ୍ଣ ହୋଇ ନଥିବା ଜଣା ପଡିଛି l କେଉଁଠି ଶୌଚାଳୟ ନଥିବାରୁ ଛାତ୍ରଛାତ୍ରୀମାନେ ବିଲମାଳ ଓ ପୋଖରୀକୁ ଶୌଚ ହେବାକୁ ଯାଉଥିବା ବେଳେ କେଉଁଠି ପିଲାଙ୍କୁ ପାନୀୟ ଜଳ ମିଳୁନି । ଏଥିସହ କୌଣସି ସ୍କୁଲରେ ଆବଶ୍ୟକ ଶିକ୍ଷକ ମଧ୍ୟ ନାହାନ୍ତି l ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ହାଇସ୍କୁଲକୁ ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ କରାଯାଇ ଗତ ବର୍ଷ ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହୋଇଯାଇଥିଲେ ହେଁ ୨ଟି ସ୍ମାର୍ଟ ଶ୍ରେଣୀ ଗୃହ, ଲାଇବ୍ରେରୀ ଓ ପାନୀୟ ଜଳ ବ୍ୟବସ୍ଥା ହୋଇଥିବା ବେଳେ ବିଜ୍ଞାନାଗାରକୁ ଏ ପର୍ଯ୍ୟନ୍ତ ପିଲା ଯାଇ ନଥିବା ବେଳେ ଶୌଚାଳୟ କେବଳ ଛାତ ପଡି ରହିଛି l ନବମ ଶ୍ରେଣୀରେ ୧୪୭ ଓ ଦଶମ ଶ୍ରେଣୀରେ ୧୨୧ ପିଲା ଥିବାରୁ ୨ ଟି ଲେଖାଏଁ ସେକ୍ସନ କରାଯାଇଥିଲା ବେଳେ ମାତ୍ର ୨ଟି ସ୍ମାର୍ଟ ଶ୍ରେଣୀ ଗୃହ ଥିବାରୁ ପିଲାଙ୍କୁ ପାଳି କରି ଦିନେ ଛଡା ଦିନେ ସ୍ମାର୍ଟ ଶ୍ରେଣୀ ଗୃହରେ ବସିବାକୁ ସୁଯୋଗ ମିଳୁଛି l ଏଠି ଆବଶ୍ୟକ ସଂଖ୍ୟକ ଶିକ୍ଷକ ମଧ୍ୟ ନାହାନ୍ତି l ତାଳସାକର ଗ୍ରାମର ମହାମାୟୀ ଉଚ୍ଚବିଦ୍ୟାଳୟକୁ ଦ୍ଵିତୀୟ ପର୍ଯ୍ୟାୟରେ ୫-ଟି ଯୋଜନାରେ ସାମିଲ କରାଯାଇ ୫ ମାସ ହେଲା ଉଦଘାଟନ ହୋଇଥିଲେ ହେଁ ସେଠି ପାନୀୟ ଜଳ ବ୍ୟବସ୍ଥା ଓ ସ୍ମାର୍ଟ ଶୌଚାଳୟ ଅଧା ପନ୍ତରିଆ ଅବସ୍ଥାରେ ରହିଥିବା ବେଳେ ଏଠି ମଧ୍ୟ ବିଜ୍ଞାନଗାର ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି l ଏଠି ୮ ଜଣ ଶିକ୍ଷକ ଦରକାର ଥିବା ବେଳେ ଅଛନ୍ତି ମାତ୍ର ୪ ଜଣ l ଗୋଟିଏ ବିଜ୍ଞାନ ଶିକ୍ଷକ, ଦୁଇ କଳା ଶିକ୍ଷକ ସାଙ୍ଗକୁ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡିଛି l ଏହି ବ୍ଲକର ଅନ୍ତରପଡା ସାଙ୍କୁଲେଇ ବିଦ୍ୟାପୀଠକୁ ମଧ୍ୟ ଦ୍ଵିତୀୟ ପର୍ଯ୍ୟାୟରେ ୫ ଟି ଯୋଜନାରେ ସାମିଲ କରାଯାଇ ଉଦଘାଟନ ସରିଛି l ଏଠି ମଧ୍ୟ ଶୌଚାଳୟ ଅଧପନ୍ତରିଆ, ପାନୀୟ ଜଳ ବ୍ୟବସ୍ଥା ନାହିଁ, ଷ୍ଟେଜ ହୋଇଛି ହେଲେ ୬ ମାସ ଯାଇନି ଭାଙ୍ଗି ଗଲାଣି, ସାଇକଲ ଷ୍ଟାଣ୍ଡ ପାଇଁ କେବଳ ପିଲାର ଉଠାଇ ଖାଡ଼ି ଛାଡି ଦିଆ ଯାଇଛି l

ବିଜ୍ଞାନଗାର ମଧ୍ୟ ଉଦଘାଟନ ପରଠୁଁ ତାଲା ଖୋଲିନି l ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ସମେତ ହିନ୍ଦୀ, ସଂସ୍କୃତ, ଖେଳ ଓ କଳା ଶିକ୍ଷକ ପଦବୀ ଖାଲି ପଡିଛି l ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତିକରଣ ହୋଇଥିବା କଳମ୍ବ ପଞ୍ଚାୟତ ଅନ୍ତର୍ଗତ ଘୋଡାପଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କଥା ମଧ୍ୟ କହିଲେ ନସରେ l ଏଠି କେବଳ ଫଳକ ଲାଗିଛି ସିନା କୌଣସି କାମ ସମ୍ପୂର୍ଣ୍ଣ ହୋଇନି l ୨ଟି ସ୍ମାର୍ଟ ଶ୍ରେଣୀ ଗୃହ ଅଛି ହେଲେ ଶ୍ରେଣୀ ଗୃହରେ ମନିଟର ଲାଗିନି l ଲାଇବ୍ରେରୀ ଓ ବିଜ୍ଞାନଗାର ଅସମ୍ପୂର୍ଣ ରହିଛି l ପାନୀୟ ଜଳ ବ୍ୟବସ୍ଥା ଠିକ ନଥିବା ବେଳେ ସ୍ମାର୍ଟ ଶୌଚାଳୟ ମୂଳରୁ ନାହିଁ l ଷ୍ଟେଜ ତିଆରି ହୋଇଛି ହେଲେ ସଭା ଗୋଟିଏ ବି ହୋଇନି ତାହା ଭାଙ୍ଗି ଗଲାଣି l ବିଦ୍ୟାଳୟରେ ପାଚେରୀ ନଥିବା ବେଳେ ଦୁଇ କଡ଼େ ଦୁଇଟି ପୋଖରୀ ରହିଛି ଏବଂ ଗୋଟିଏ ପୋଖରୀରୁ ନାଳ ବାହାର କରାଯାଇ ସ୍କୁଲ ଭିତରପଟ ଦେଇ ଧାନ ବିଲକୁ ପାଣି ଛଡା ଯାଉଛି l ପାଚେରୀ ନଥିବାରୁ ଗାଈଗୋରୁ ସମେତ ଲୋକଙ୍କ ଅବାଧ ପ୍ରବେଶ ଲାଗି ରହୁଥିବା ବେଳେ ପୋଖରୀରେ ବୁଡି କେତେବେଳେ କେଉଁ ପିଲାର ଜୀବନ ଯିବ ସେଥି ପ୍ରତି ସବୁବେଳେ ଆଶଙ୍କା ରହିଛି l ଏଠି ମଧ୍ୟ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ବେଳେ ଗୋଟିଏ ବିଜ୍ଞାନ ଶିକ୍ଷକ, ହିନ୍ଦୀ ଶିକ୍ଷକ, କିରାଣୀ, ପିଅନ ଓ ରାତ୍ରି ଜଗୁଆଳି ପଦବୀ ଖାଲି ପଡିଛି l ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେଉଁ ବୁକଲେଟ ତିଆରି କରାଯାଇ ଜିଲ୍ଲପାଳଙ୍କୁ ଦିଆ ଯାଇଛି, ସେଥିରେ କୁଆଡେ ଏ ସମସ୍ତ ସ୍କୁଲରେ ସୁନ୍ଦର ଶୌଚାଳୟ ଥିବା ଫଟୋ ରହିଛି ଏବଂ କାମ ସମ୍ପୂର୍ଣ୍ଣ ହୋଇଯାଇଥିବା ନେଇ ପ୍ରଧାନ ଶିକ୍ଷକଙ୍କ ଠାରୁ ଦସ୍ତଖତ ନେଇ ୟୁସି ଦାଖଲ କରାଯାଇ ଥିବାବେଳେ ଅନ୍ୟ ଅଞ୍ଚଳର ସ୍ମାର୍ଟ ଶୌଚାଳୟର ଫୋଟ ଲଗାଇ ଜିଲ୍ଲା ଅଧିକାରୀଙ୍କୁ ପ୍ରାକ୍ତନ ବିଡ଼ିଓ ଭୁତାଇ ଥିବା ଆଲୋଚନା ହେଉଛି l ଏ ସମସ୍ତ ସ୍କୁଲର ବକେୟା କାମ ଗୁଡିକୁ ତୁରନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

nis-ad
Leave A Reply

Your email address will not be published.