ରାହାଗିରିରେ ଝୁମିଲା ରାଉରକେଲା : ଦର୍ଶକଙ୍କୁ ବାନ୍ଧି ରଖିଲା ଡଗ୍‌ ସୋ ବାଇକ୍‌ ଷ୍ଟଣ୍ଟ ଓ କୁନି ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ…


ରାଉରକେଲା/ ସୁନ୍ଦରଗଡ଼ : ଅନ୍ତର୍ଜାତୀୟ ପୁରୁଷ ହକି ବିଶ୍ବକପ୍‌ ୨୦୨୩କୁ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହ ସ୍ବାଗତ କରିବା ପାଇଁ କିଛି ନିଆରା ପଦକ୍ଷେପ ଗ୍ରହଣ କରିଛି ରାଉରକେଲା ମହାନଗର ନିଗମ (ଆରଏମ‌ସି) ଓ ରାଉରକେଲା ସ୍ମାର୍ଟ ସିିଟି ଲିମିଟେଡ (ଆରଏସ୍‌ସିଏଲ‌) । ଏହି କ୍ରମରେ ରାଉରକେଲା ସହରରେ ଚଳିତ ଥରର ପ୍ରଥମ ପଥୋତ୍ସବ ବା ରାହାଗିରି (ପ୍ରେରଣା) ଅନୁଷ୍ଠିତ ହୋଇଯାଇଛି ।

ରବିବାରର ଶୀତୁଆ ସକାଳରେ ଆରମ୍ଭ ହୋଇଥିବା ଏହି ପଥୋତ୍ସବରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ । ଛୋଟରୁ ବଡ଼, ମହିଳାଙ୍କ ଠାରୁ କିନ୍ନର ପର୍ଯ୍ୟନ୍ତ ସବୁ ଶ୍ରେଣୀ ଏବଂ ସବୁ ବର୍ଗର ଲୋକ ସାମିଲ ହେବା ସହ ନିଜ ନିଜ ପ୍ରତିଭା ଦେଖାଇଥିଲେ ଏବଂ ପୂରା ପଥୋତ୍ସବକୁ ମନଭରି ଉପଭୋଗ କରିଥିଲେ ।

ଏହା ସହିତ ରାଉରକେଲା ଡିଆଇଜି ନିତି ଶେଖର,ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଆରଏମସି କମିଶନର ତଥା ଆରଏସସିଏଲ୍‌ ସିଇଓ ଡ. ଶୁଭଙ୍କର ମହାପାତ୍ର,ରାଉରକେଲା ଏସପି ମୁକେଶ କୁମାର ଭାମୁ,ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟର ଭାରପ୍ରାପ୍ତ ନିର୍ଦ୍ଦଶକ ଅତନୁୁ ଭୌମିକଙ୍କ ସହ ରାଉରକେଲା ମହାନଗର ନିଗମର ସମସ୍ତ କର୍ମଚାରୀ ଓ ଆରଏସସିଏଲର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଭିନ୍ନ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ ରାଉରକେଲା ଡିଆଇଜି ।

ଅନ୍ୟପକ୍ଷରେ ବହୁ ସଂଖ୍ୟାରେ ସମସ୍ତ ବର୍ଗର ଜନସାଧାରଣ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ଆରଏସ୍‌ସିଏଲ‌ ସିଇଓ ଡ. ଶୁଭଙ୍କର ମହାପାତ୍ର । ଏତେ ସଂଖ୍ୟାରେ ଲୋକଙ୍କ ସମାଗମ ପ୍ରମାଣିତ କରୁଛି ରାଉରକେଲାବାସୀ ହକିକୁ ନେଇ କେତେ ଉତ୍ସାହିତ । ଲୋକଙ୍କ ଏହି ସମାନ ଉତ୍ସାହ, ଉଦ୍ଦୀପନା, ହର୍ଷ ଉଲ୍ଲାସ ଏବଂ ସହଯୋଗରେ ଆସନ୍ତା ବର୍ଷ ପୁରୁଷ ହକି ବିଶ୍ବକପ‌ର ସଫଳ ଆୟୋଜନ କରିବୁ । ଏଥିସହିତ ବିଶ୍ବ ଦରବାରେ ରାଉରକେଲା ଓ ସୁନ୍ଦରଗଡ଼କୁ ହକି ହବ୍‌ ଭାବେ ପ୍ରତିପାଦିତ କରିବୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଆସନ୍ତା ପୁରୁଷ ହକି ବିଶ୍ବକପ୍‌ ପରିପ୍ରେକ୍ଷୀରେ ଇସ୍ପାତ ନଗରରୀରେ ଏକ ଉତ୍ସବର ମାହୋଲ ସୃଷ୍ଟି କରିବା ତଥା ସହରବାସୀଙ୍କୁ କ୍ରୀଡ଼ା ମନସ୍କ କରିବା ଉଦ୍ଦେଶ୍ୟରେ ପଥୋତ୍ସବ, ନଗର କ୍ରୀଡ଼ା ଉତ୍ସବ ଓ ମିନି ମାରାଥନ୍‌ ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ନେଇ ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ସୂଚନା ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ହନୁମାନ ବାଟିକା ଛକ ଠାରୁ ସାରନା ଛକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହାକୁ ମୋଟ ୯ଟି ଜୋନରେ ବିଭକ୍ତ କରାଯାଇ ଭିନ୍ନ ବର୍ଗର ଲୋକଙ୍କ ପାଇଁ ଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ପ୍ରଥମ ଓ ୯ମ ଜୋନ‌ରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।

ମହାନଗର ନିଗମ ଦ୍ବାରା ଅନୁମୋଦିତ କିଛି ଟିମ୍‌ ଏବଂ ସ୍କୁଲ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହା ସହିତ ରାଉରକେଲା ପୋଲିସର ମ୍ୟୁଜିକାଲ ବ୍ୟାଣ୍ଡ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା । ସେହିଭଳି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଜୋନ‌ରେ କୁନି କୁନି ପିଲାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା ।

ସେହିଭଳି ମହିଳା ଜୋନ‌ରେ ‘ହକି’ ବିଶ୍ବକପକୁ ନେଇ ସହରର ବିଭିନ୍ନ ମହିଳା, କିନ୍ନର, ସାମାଜିକ ସଂଗଠନମାନେ ରଙ୍ଗୋଲୀ ଆଙ୍କିଥିଲେ । ସହର ସାଇକେଲିଂ ଟିମ୍‌ ମଧ୍ୟ ରାହାଗିରିରେ ସାଇକେଲ ଚଳାଇବା ସହ ଫିଟନେସ୍‌ ପାଇଁ ସାଇକେଲିଂର ଆବଶ୍ୟକତା ସମ୍ପର୍କରେ ସଚେତନ କରିଥିଲେ । ଏହାସହିତ ରାହାଗିରିରେ ଫିଟନେସ୍‌ ନେଇ ଯୋଗ ଏବଂ ବ୍ୟାୟମର ଆବଶ୍ୟକତା ସମ୍ପର୍କରେ ଅବଗତ କରାଯାଇଥିଲା । ଏସବୁ ବ୍ୟତୀତ ସିଆରପିଏଫ୍‌ ଯବାନଙ୍କ ଦ୍ବାରା ଡଗ୍‌ ସୋ’ ଏବଂ ବାଇକର୍‌ ଗ୍ରୁପ‌ର ବାଇକ୍‌ ଷ୍ଟଣ୍ଟ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଏହି ଅବସରରେ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ତେଜ କୁମାର ଖେସ, ବରିଷ୍ଠ ହକି କୋଚ୍ ମିଲଟନ ବିଲୁଙ୍ଗ ଏବଂ ହକି କୋଚ୍ ବିଜୟ ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.