ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

କଟକ ୦୨/୧୨: ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକେ । କଟକ କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ତାଙ୍କର୦ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତେବେ ବିଳମ୍ୱିତ ରାତିରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ସେପଟେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ବହୁ କଳାକାର ।

୧୯୪୫ ମସିହାରେ କଟକର ଚାନ୍ଦିନି ଚୌକରେ ଝରଣା ଦାସଙ୍କ ଜନ୍ମ । ସମେସ୍ତ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଝୁମୁ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ ।

ଝରଣାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ତଥା ସଂଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ । ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ।

ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଫଟୋଗ୍ରାଫର ଦୀପକ ଦାସଙ୍କୁ ବିବାହ କରିଥିଲେ ଝରଣା । ୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ଝରଣା । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି, ସେ ହାସଲ କରିଥିଲେ ଲୋକପ୍ରିୟତା ।

ଚଳଚ୍ଚିତ୍ର ବ୍ୟତୀତ, ସେ ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ । ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ସେ ସେଠାରେ ଥିବା ବେଳେ ସେ “ଘର ଭଡ଼ା ଦିଆ ଯିବ” ଓ “ମଣିଷ” ଆଦି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ । ଏଥିସହିତ ସେ ନିଜର ଫିଲ୍ମରେ ଅଭିନୟ ଚାଲୁ ରଖିଥିଲେ ।

ଝରଣା ଦାସଙ୍କ ଅଭିନୀତ କଥାଚିତ୍ରଗୁଡ଼ିକ ହେଲା, ଆ’ ଜ‌ହ୍ନରେ ଲେଖିବା ନାଁ, ଭାଗ୍ୟ ଚକ୍ର, ସୁନା ଭାଉଜ, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ଲାଲ ପାନ ବିବି, କସ୍ତୁରୀ, ସମୟ ବଡ଼ ବଳବାନ, ପୂଜାଫୁଲ,, ହୀରାନୀଳା, ନିନାଦ, ଆଶାର ଆକାଶ, ମହାସତୀ ସାବିତ୍ରୀ, ଜ୍ୱାଇଁ ପୁଅ, ହିସାବ ନିକାଶ, ଟିକେ ହସ ଟିକେ ଲୁହ, ଶ୍ରୀ ଜଗନ୍ନାଥ, ଅଦିନ ମେଘ, ମାର୍ଗ, କା, ମଲାଜହ୍ନ, ଅଭିନେତ୍ରୀ, ନବଜନ୍ମ, ଅମଡ଼ା ବାଟ, ନାରୀ ଭଳି ଚଳଚ୍ଚିତ୍ର ଅଭିନୟ କରି ଦର୍ଶକଙ୍କ ହୃଦୟରେ କରିଥିଲେ ରାଜ୍ ।

ତାଙ୍କର ଏହି ଅଭିନୟ ପାଇଁ ତାଙ୍କୁ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ କରାଯାଇଛି । ୧୯୯୭ ଜୟଦେବ ପୁରସ୍କାର, ୨୦୧୧ରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼,୨୦୧୧ରେ ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ, ୨୦୧୬ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ୱୀ କଳାକାର ଭାବେ ବର୍ଣ୍ଣନା କରିଛନ୍ତି । ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ବିପୁଳ ଲୋକପ୍ରିୟତା ଆଣି ଦେଇଥିଲା । ଝରଣା ଦାସଙ୍କ ସ୍ଵର ଓ ଚମତ୍କାର ଅଭିନୟ ତାଙ୍କୁ ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ଅଜସ୍ର ସୁନାମ ଦେଇଥିଲା ।

ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ତଥା ସାଂସ୍କୃତିକ, ଜଗତରେ ବିରାଟ ଶୂନ୍ୟତା ସ୍ରୁଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସ୍ଵର୍ଗତଃ ଝରଣା ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

nis-ad
Leave A Reply

Your email address will not be published.