୮ ଦଫା ଦାବି ପୂରଣ ନେଇ ସିଡିପିଓ କାର୍ଯାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା

ବୁଗୁଡ଼ା : ଭାରତୀୟ ମଜଦୁର ସଂଘ ସହ ସଂଯୁକ୍ତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ଓ୍ବାର୍କର୍ସ ଆସୋସିଏସନ ବୁଗୁଡ଼ା ଶାଖା ପକ୍ଷରୁ ଶୁକ୍ରବାର ଦିନ ୮ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସିଡିପିଓ କାର୍ଯାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବ୍ଲକର ଶତାଧିକ ଅଙ୍ଗନୱାଡି କର୍ମୀ ଓ ସହାୟିକା ବୁଗୁଡ଼ା ବଡ଼ଦାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ସ୍ଲୋଗାନ ଦେଇ ସିଡିପିଓ କାର୍ଯାଳୟ ସମ୍ମୁଖରେ ପହଞ୍ଚିଥିଲେ ।ସେଠାରେ ୨୦୧୮ ମସିହାର ଆନ୍ଦୋଳନରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ , ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ଯତା ପ୍ରଦାନ ନତୁବା କର୍ମୀମାନଙ୍କୁ ମାସକୁ ୧୮ ହଜାର ଓ ସହାୟିକାମାନଙ୍କୁ ୯ ହଜାର ଦରମା ପ୍ରଦାନ କରିବା , ମିନି ଅଙ୍ଗନୱାଡି ଉଚ୍ଛେଦ କରି ଅଙ୍ଗନୱାଡି କର୍ମୀର ମାନ୍ଯତା ପ୍ରଦାନ , ଅଙ୍ଗନୱାଡି କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପେନସନ୍ ମାସିକ ୫ ହଜାର ଟଙ୍କା ପ୍ରଦାନ କରିବା , କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଅଙ୍ଗନୱାଡି କର୍ମଚାରୀଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହ ପରିବାରର ଜଣଙ୍କୁ ଚାକିରିରେ ନିଯୁକ୍ତି କରିବା , ୨୦୧୮ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶକୁ ଲାଗୁ କରିବା , ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ପ୍ରାକ୍ ପ୍ରାଥମିକ ଶିକ୍ଷୟିତ୍ରୀର ମାନ୍ଯତା ପ୍ରଦାନ କରିବା ଏବଂ ୫୦% କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଆଉ ୫୦% ସ୍ନାତକ ଓ ତଦୁର୍ଦ୍ଧ ଯୋଗ୍ଯତା ସମ୍ପନ୍ନା ଅଙ୍ଗନୱାଡି କର୍ମୀଙ୍କୁ ସୁପରଭାଇଜର ପଦବୀକୁ ପଦୋନ୍ନତି ଦେବା ଆଦି ଦାବି ଗୁଡିକ ନେଇ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ଅବସରରେ ସଂଘର ସଭାନେତ୍ରୀ ବାସନ୍ତୀ କୁମାରୀ ପ୍ରଧାନ ଓ ସମ୍ପାଦିକା ଅନୀତା କୁମାରୀ ମିଶ୍ରଙ୍କ ସମେତ କର୍ମକର୍ତ୍ତାଗଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୮ ଦଫା ସମ୍ବଳିତ ଏକ ଦାବି ପତ୍ର ସିଡିପିଓଙ୍କୁ ଦେଇଥିଲେ ।

nis-ad
Leave A Reply

Your email address will not be published.