ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ଚାହାରେ ନିଶା ଦେଇ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟ ଉଦ୍ୟମ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ଗୁରୁବାର ସଂଧ୍ୟାରେ ଏକ ବୃଦ୍ଧ ଦମ୍ପତି ବସରେ ଯିବାକୁ ଅପେକ୍ଷା କରିଥିବା ବେଳେ ଜଣେ ଅପରିଚିତ ବ୍ୟକ୍ତି କୌଶଳରେ ନିଶା ଦେଇ ଲୁଟ ଉଦ୍ୟମ କରିଥିଲା। ତେବେ, ଏହି ଘଟଣାକୁ ବୃଦ୍ଧ ଦମ୍ପତିଙ୍କ ଗ୍ରାମର ଜଣେ ମହିଳା ଦେଖିଦେଇ ପାଟି କରିବାରୁ ଲୁଟିଆ ଜଣଙ୍କ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ସୌଭାଗ୍ୟ ବଶତଃ ପ୍ରାୟ ୫ ତୋଳାର ଖାସୁ ମାଳିକୁ ଲୁଟିଆ ବୃଦ୍ଧାଙ୍କ ବେକରୁ ଛିଣ୍ଡାଇ ଥିଲେ ମଧ୍ୟ ପାଟି କରିବାରୁ ତାହାକୁ ଛାଡ଼ି ଚମ୍ପଟ ମାରିଛି।

ଘଟଣା ରୁ ପ୍ରକାଶ ଯେ, କୁରୁଳା ଗ୍ରାମର କୁରେଶ ପାତ୍ର ( ୭୫)ତାଙ୍କ ଧର୍ମପତ୍ନୀ ଜାନେମା ପାତ୍ର( ୭୦) ଗୁରୁବାର ସଂଧ୍ୟାରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ଶେରଗଡ଼ ବ୍ଳକ ଅନ୍ତର୍ଗତ କୁରୁଳା ଗ୍ରାମକୁ ଯିବାକୁ ଗାଡ଼ିକୁ ଅପେକ୍ଷା କରିଥିଲେ। ଏହି ସମୟରେ ବୃଦ୍ଧ ଦମ୍ପତିଙ୍କୁ ଦେଖି ଜଣେ ବ୍ୟକ୍ତି ସେମାନଙ୍କ ସହ ଆତ୍ମୀୟ ଭଳି ବ୍ୟବହାର ଓ କଥାବାର୍ତ୍ତା କରି ବିଶ୍ବାସ ସୃଷ୍ଟି କରିଥିଲା। ୨ କପ୍ ଚାହା ଆଣି ବୃଦ୍ଧ ଦମ୍ପତିଙ୍କୁ ପିଇବାକୁ ଦେଇଥିଲା। ବୃଦ୍ଧ କୁରେଶ ଉକ୍ତ ଚା’ ପିଇ ନଥିବା ବେଳେ ତାଙ୍କ ପତ୍ନୀ ଜାନେମା ଚା’ ପିଇ ବେହୋସ୍ ହୋଇ ଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରା ଜଣଙ୍କ ମୁହଁରେ ଏକ ଚାଦର ଘୋଡ଼ାଇ ବୃଦ୍ଧାଙ୍କ ବେକରୁ କୌଶଳରେ ପ୍ରାୟ ୫ ତୋଳା ଓଜନର ଖାସୁ ମାଳି ନେବାକୁ ଉଦ୍ୟମ ଚଳାଇଥିଲେ। କିନ୍ତୁ, ଏହିସମୟରେ ବୃଦ୍ଧ ଦମ୍ପତିଙ୍କ ଗ୍ରାମର ଅନ୍ୟ ଜଣେ ମହିଳା ସେହି ସ୍ଥାନରେ ପହଞ୍ଚିଥିଲେ। ସେ ବୃଦ୍ଧାଙ୍କ ନିକଟରେ ଚାଦର ଘୋଡ଼ାଇ ମୁହଁକୁ ଢାଙ୍କିଥିବା ବ୍ୟକ୍ତି ଙ୍କୁ ସନ୍ଦେହ କରି କିଏ ତୁମେ ବୋଲି ପାଟି କରିଥିଲେ। ମହିଳା ଙ୍କ ପାଟି ଶୁଣି ଆଖି ପିଛୁଲାକେ ଉକ୍ତ ବ୍ୟକ୍ତି ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ମହିଳାଙ୍କ ପାଟି ଶୁଣି ବସଷ୍ଟାଣ୍ଡରେ ଥିବା ଅନ୍ୟ ଯାତ୍ରୀମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ବୃଦ୍ଧା ଜଣକ ବେହୋସ୍ ଭାବେ ପଡ଼ିଥିଲେ। ତାଙ୍କ ଗୋଡ଼ ନିକଟରେ ବେକରୁ କଟା ହୋଇଥିବା ଖାସୁ ମାଳିଟି ଛିଣ୍ଡି ପଡ଼ିଥିଲା। ଲୋକମାନେ ବୃଦ୍ଧାଙ୍କୁ ପାଣି ଦେବା ପରେ କିଛି ସମୟ ପରେ ତାଙ୍କର ଚେତା ଫେରିଥିଲା। ତେବେ ସେ ସଠିକରେ କିଛି କହି ପାରିନଥିଲେ। ବୃଦ୍ଧ କୁରେଶଙ୍କ ଆଖିକୁ ଭଲ ଭାବରେ ଦେଖାଯାଉନାହିଁ। ଲୁଟିଆ ଅନ୍ୟ କିଛି ଲୁଟ କରିଛି କି ନାହିଁ ତାହା ସ୍ପଷ୍ଟ ଜଣା ପଡ଼ୁନାହିଁ। ଗ୍ରାମର କିଛି ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟଙ୍କ ଉପସ୍ଥିତରେ ବୃଦ୍ଧ ଦମ୍ପତ୍ତିଙ୍କୁ ଉଦ୍ଧାର କରି ଗାଡିରେ କୁରୁଳା ନେଇ ସେଠାରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି।
ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ କିଛି ଦିନ ଧରି ଅସାମାଜିକ ଓ ଅପରିଚିତ ବ୍ୟକ୍ତିଙ୍କ ସନ୍ଦେହ ଜନକ ଗତିବିଧି ଚାଲିଥିବା ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିସରରେ ସିସିଟିଭି କ୍ୟାମେରା ସହ ପୋଲିସ ପଇଁତରା କଡ଼ାକଡ଼ି ପାଇଁ ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଦାବି କରିଛନ୍ତି।

nis-ad
Leave A Reply

Your email address will not be published.