ଗୃହପାଳିତ ପଶୁଙ୍କ ପାଇଁ ଆସିବ ସ୍ୱତନ୍ତ୍ର ପେଟ୍‌ ଆକ୍ଟ, ଡ୍ରାଫ୍ଟ ଏସ୍‌ଓପିକୁ ନେଇ ବିଏମ୍‌ସି କର୍ପୋରେସନ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର : ଗୃହ ପାଳିତ ପଶୁପକ୍ଷୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ପେଟ ଡଗ୍ ଆକ୍ଟ। ଡ୍ରାଫ୍ଟ ଏସ୍‌ଓପିକୁ ନେଇ ବିଏମ୍‌ସି କର୍ପୋରେସନ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଗାଇଡଲାଇନ୍‌ ନେଇ ବିସ୍ତୃତ ରୂପେ ଆଲୋଚନା କରାଯାଇଛି। ଭୁବନେଶ୍ବରରେ କୁକୁର ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଏବେ ଗୃହପାଳିତ ପୋଷା ଜୀବଜନ୍ତୁଙ୍କ ପାଇଁ ଆସିବାକୁ ଯାଉଛି ଏଭଳି ଗାଇଡଲାଇନ୍। ମହାନଗର ନିଗମ ଆଇନ ୨୦୦୩ର ଧାରା ୫୪୩(ବି) ଅନୁଯାୟୀ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଏମସି କର୍ପୋରେସନ ବୈଠକ ବସିବା ସହିତ ଜନସାଧାରଣଙ୍କ ମତାମତ ଲୋଡାଯାଇଛି।

ଭୁବନେଶ୍ବରର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆସିବାକୁ ଥିବା ଗାଇଡଲାଇନ୍ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକରେ ବିଭିନ୍ନ ପଶୁପ୍ରେମୀ, ପଶୁ ମାଲିକ, ପୋଷା ପଶୁପକ୍ଷୀ ବ୍ୟବସାୟୀ ମାନେ ଯୋଗ ଦେଇ ବିଏମସିର ଏଭଳି ପଦକ୍ଷେପକୁ ସ୍ଵାଗତ କରିଛନ୍ତି। ପ୍ରସ୍ତୁତ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ଏଥିରେ ଆଉ କିଛି ପରିବର୍ତ୍ତନ କରାଯାଇ ପରବର୍ତ୍ତୀ ବୈଠକରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ସ୍ମାର୍ଟ ଜନପଥକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ପ୍ରକଳ୍ପ ଶେଷ, ଭିତ୍ତିଭୂମି, ଉନ୍ନତି, ରକ୍ଷଣାବେକ୍ଷଣ ସହ ହକି ବିଶ୍ଵ କପ ପୂର୍ବରୁ ସହରକୁ କିଭଳି ସ୍ୱଚ୍ଛ ଏବଂ ସୁନ୍ଦର କରାଯିବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ତେବେ କେଉଁ ଅଞ୍ଚଳ ବିଏମ୍‌ସି ଓ କେଉଁ ଅଞ୍ଚଳ ସ୍ମାର୍ଟ ସିଟି ଅଧୀନରେ ଆସୁଛି ସେ ନେଇ ଅଧିକାରୀଙ୍କ ଠାରୁ ତଥ୍ୟ ମଗାଯାଇଛି।

nis-ad
Leave A Reply

Your email address will not be published.