ଧରାପଡ଼ିଲେ ନକଲି ସାର୍ଟିଫିକେଟରେ ଚାକିରୀ କରୁଥିବା ଶିକ୍ଷୟତ୍ରୀ…


ହିଂଜିଳିକାଟୁ, ୨୨ା୧୧: ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରୀ ହାତେଇଥିବା ଅଭିଯୋଗ ହୋଇଥିଲା । ହିଂଜିଳିକାଟୁ ବ୍ଳକର ୧୯ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନାମରେ ଜାଲ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ଅଭିଯୋଗ ହୋଇଛି । ଗତବର୍ଷ ଜିଲାରେ ବିଭିନ୍ନ ଅଂଚଳରୁ ଜାଲ ଶିକ୍ଷକ ଧରାପଡ଼ିବା ଓ ସେମାନଙ୍କ ବିରୁଦ୍ଧରେ ଥାନାରେ ମାମଲା ହୋଇଥିଲା । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଅଭିଯୋଗ ଉଠିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପ୍ରମାଣପତ୍ର ଯାଂଚ କରି ତୁରନ୍ତ ସେମାନଙ୍କୁ ଚାକିରିରୁ ବରଖାସ୍ତ ପକ୍ରିୟା ଆର୍ମଭ କରିବା ସହ ଥାନାରେ ଜାଲିଆତି ମାନଙ୍କ ବିରୁଦ୍ଧରେ ମାମଲା ପାଇଁ ନିର୍ଦ୍ଦେଶ ହୋଇଛି । ଏହି କ୍ରମେରେ ହିଂଜିଳିକାଟୁ ବ୍ଳକର ଜଣେ ଶିକ୍ଷୟତ୍ରୀଙ୍କ ନାମରେ ସୋମବାର ହିଂଜିଳି ଥାନାରେ ମାମଲା ରୁଜୁ ହୋଇଛି । ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର ଥାନାରେ ଅଭିଯୋଗ କରିଛନ୍ତି । ହିଂଜିଳିକାଟୁ ବ୍ଳକ ଶ୍ୟାମଳାଇ ସରକାରୀ ହାଇସ୍କୁଲ ପୋଡ଼ିଙ୍ଗୀର ଶିକ୍ଷୟତ୍ରୀ ଲତିକା ବରଡ଼ ଶିକ୍ଷା ସହାୟକ ଓ ରେଗୁଲାର ଶିକ୍ଷୟତ୍ରୀ ପ୍ରମାଣପତ୍ର ଯାଂଚ ବେଳେ ଦାଖଲ କରିଥିବା ଯୁକ୍ତ ଦୁଇ ବିଜ୍ଞାନର ମାର୍କସିଟ ଓ ଅନ୍ୟାନ୍ୟ ପ୍ରମାଣପତ୍ର ଜାଲ ଥିବା ନେଇ ବିଇଓ ଅଭିଯୋଗ ହୋଇଛି । ଏଥି ନେଇ ସେ ଥାନାରେ ନଂ ୬୪୫/୨୨ରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତବର୍ଷ ହିଂଜିଳିକାଟୁ ବ୍ଳକର ପ୍ରାୟ ୧୯ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଜାଲ ସାର୍ଟିଫିକେଟ ଦାଖଲ କରି ସରକାରୀ ଚାକିରୀ ହାତେଇଥିବା ଅଭିଯୋଗ ହୋଇଥିଲା । ବ୍ରହ୍ମପୁର ଗାନ୍ଧୀନଗର ଅଂଚଳର ସଂଜୟ କୁମାର ଦାଶ ଗତ ବର୍ଷ ଅଗଷ୍ଟ ମାସରେ ଜାଲ ସାର୍ଟିଫିକେଟ ଦାଖଲ କରି ଚାକିରି ହାତେଇଥିବା ନେଇ ହିଂଜିଳିକାଟୁ ବ୍ଳକ ଶ୍ୟାମଳାଇ ସରକାରୀ ହାଇସ୍କୁଲ ପୋଡ଼ିଙ୍ଗୀର ଶିକ୍ଷୟତ୍ରୀ ଲତିକା ବରଡ଼ଙ୍କ ବିରୁଦ୍ଧରେ ଅଭିଯୋଗ ପିଟିସନ ଦାଖଲ କରିଥିଲେ । ଅଭିଯୋଗର ଯାଂଚ ନିମନ୍ତେ ଶିକ୍ଷୟତ୍ରୀ ବରଡ଼ଙ୍କ ଶିକ୍ଷା ପ୍ରମାଣପତ୍ର ଗୁଡ଼ିକର ବୈଧତା ନେଇ ଯାଂଚ ହୋଇଥିଲା । ଯାଂଚ ପରେ ସିଏଚଏସଇ ଓଡ଼ିଶା ଭୁବନେଶ୍ୱର ଡ଼େପୁଟି କଂଟ୍ରୋଲର (ପରୀକ୍ଷା ବିଭାଗ) ଗତ ୭ ଜୁଲାଇ ମାସରେ ( ଚିଠି ନଂ ଇଜି୩-୫୦/୨୨-୨୩୯୭) ଶିକ୍ଷୟତ୍ରୀ ବରଡ଼ଙ୍କ ଯୁକ୍ତ ଦୁଇ ବିଜ୍ଞାନ ସାର୍ଟିଫିକେଟ ଓ ମାର୍କସିଟ ନକଲି ବୋଲି ଦର୍ଶାଇଥିଲେ । ଅନ୍ୟ ପକ୍ଷରେ ଗତ ୧୭ରେ ଗଂଜାମ ଶିକ୍ଷାଧିକାରୀ ନକଲି ସାର୍ଟିଫିକେଟ ଦାଖଲ କରି ଚାକିରୀ କରିଥିବା ଶିକ୍ଷୟତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଳ କରିବାକୁ ହିଂଜିଳିକାଟୁ ଗୋଷ୍ଠି ଶିକ୍ଷାଧିକାରୀଙ୍କୁ ଚିଠିରେ ଜଣାଇଥିଲେ । ଫଳରେ ସୋମବାର ହିଂଜିଳିକାଟୁ ବିଇଓ ଏସ ଗିରିଧରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଜଣେ ନକଲି ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଛି । ଗଂଜାମ ଜିଲାର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ନକଲି ପ୍ରମାଣପତ୍ର ଦାଖଲ କରି ଶିକ୍ଷକ ଶିକ୍ଷୟତ୍ରୀ ଚାକିରୀ ହାତେଇଥିବା ନକଲି ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ମାମଲା ହୋଇଥିବା ବେଳେ, ବିଳମ୍ବରେ ହିଂଜିଳିକାଟୁ ବ୍ଳକରେ ନକଲି ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଅନ୍ୟ ପକ୍ଷରେ ନକଲି ପ୍ରମାଣପତ୍ର ଦେଇ ହିଂଜିଳିକାଟୁ ବ୍ଳକର ସରକାରୀ , ସରକାରୀ ସାହାର୍ଯ୍ୟପ୍ରାପ୍ତ ଓ ବେସରକାରୀ ସ୍କୁଲରେ ଆଉ କିଛି ଶିକ୍ଷକ ଶିକ୍ଷୟତ୍ରୀ ରହିଥିବା ମଧ୍ୟ ଆଲୋଚନା ହେଉଛି ।

nis-ad
Leave A Reply

Your email address will not be published.