ବାଲେଶ୍ୱରରେ ହତ୍ୟା, ଛତାବରରୁ ମିଳିଲା କଟାମୁଣ୍ଡ

ବାଲେଶ୍ୱର ୧୮/୧୧: ଖାନନଗରରେ ଗତ ୬ ତାରିଖ ହୋଇଥିବା ହତ୍ୟାକାଣ୍ଡରେ ମୃତ ଯୁବକଙ୍କ କଟାମୁଣ୍ଡ ମିଳିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଛତାବର ଛକରୁ ଗୁରୁବାର କଟାମୁଣ୍ଡ ଜବତ କରିଛି ବାଲେଶ୍ୱର ସଦର ଥାନା ପୋଲିସ ।

ପାଣିକୋଇଲି ପୂର୍ବରୁ ଛତାବର ଓଭରବ୍ରିଜର ବାମପାଶ୍ୱର୍ ବାଇପାସ ରାସ୍ତା ଆରମ୍ଭରେ ଥିବା ଏକ ଗ୍ୟାରେଜ ସମ୍ମୁଖ ନଳା ମଧ୍ୟରୁ ଅଖାରେ ଭର୍ତ୍ତି ହୋଇ ରହିଥିବା କଟାମୁଣ୍ଡ ଉଦ୍ଧାର ହୋଇଛି । ଘଟଣାର ଅନ୍ୟତମ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଇଟାଭାଟି ଥାନା ତେନ୍ତୁଳିଆପଲ୍ଲୀ ଗ୍ରାମର ୪୦ ବର୍ଷୀୟ ଫକୀର ନାୟକ କଟାମୁଣ୍ଡ ପକାଇଥିବା ସ୍ଥାନ ଚିହ୍ନଟ କରିଥିଲା ।

ସଂପୃକ୍ତ ସ୍ଥାନରେ ନଳା ଉପରେ ସ୍ଲାବ ଖସିପଡ଼ିଥିବା ସ୍ଥାନରେ ସେ କଟାମୁଣ୍ଡ ପକାଇଥିବା ସୂଚନା ଦେଇଥିଲା । ଅପରାହ୍ଣରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାଯାଇଛି । କଟାମୁଣ୍ଡ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଙ୍ଗୋଇ ଗ୍ରାମର ମୃତ ଶ୍ରୀଧର ଦଳବହେରାର ବୋଲି ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ, ଫକୀରର ପତ୍ନୀ ତଥା ମୁଖ୍ୟ ଅଭିଯୁକ୍ତ ସୁମିତ୍ରା ଓ ଶ୍ରୀଧର ବାଲେଶ୍ୱର ସଦର ଥାନା ଖାନନଗର ଅଞ୍ଚଳରେ ବସୁଧା ଯୋଜନା ପ୍ରକଳ୍ପରେ କାର୍ଯ୍ୟ କରିବା ସହ ସେଠାରେ ଅସ୍ଥାୟୀ ଭାବେ ବସବାସ କରୁଥିଲେ । ସୁମିତ୍ରା ଓ ଶ୍ରୀଧର ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ିଉଠିବା ପରେ ବିବାଦର ସୂତ୍ରପାତ ହୋଇଥିଲା । ୫ ତାରିଖରେ ଶ୍ରୀଧର ସୁମିତ୍ରାଙ୍କୁ ମାରଧର କରିଥିଲା । ପରଦିନ ସୁମିତ୍ରା ପ୍ରତିଶୋଧ ପରାୟଣ ହୋଇ ଶ୍ରୀଧରକୁ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା । ଫକୀରଙ୍କୁ ଡକାଇ କଟାମୁଣ୍ଡକୁ ନେଇ ଛତାବରରେ ପକାଇ ଦେଇଥିଲା ।

nis-ad
Leave A Reply

Your email address will not be published.