ରେକର୍ଡ କଲା ଐତିହାସିକ ବାଲିଯାତ୍ରା, ଶେଷ ଦିନରେ କୋଟି କୋଟି ଟଙ୍କାର କାରବାର

କଟକ,୧୮/୧୧: ୨ ହଜାରରୁ ଅଧିକ ବ୍ୟବସାୟୀ, ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କ ଗହଳିଚହଳି ଏବଂ କୋଟିକୋଟି ଟଙ୍କାର କାରବାର ଭିତରେ ଶେଷ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ପ୍ରଥମଥର ଲାଗି ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ ହେଉଥିବା ପୂର୍ବ ଭାରତର ଏହି ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟିକ ସାଂସ୍କୃତିକ ମେଳା ଏଥର ବିଭିନ୍ନ କ୍ଷେତ୍ରରେ ରେକର୍ଡ ସ୍ଥାପନ କରିଛି ।

ବାଲିଯାତ୍ରାର ଗୌରବୋଜ୍ଜ୍ୱଳ ଇତିହାସରେ ଏଥର ‘ଗିନିଜ୍‌ ବିଶ୍ୱ ରେକର୍ଡ’ର ନୂଆ ସ୍ୱର୍ଣ୍ଣିମ ପୃଷ୍ଠା ବି ଯୋଡ଼ି ହୋଇଛି । ୨୦୧୯ ତୁଳନାରେ ଦୁଇ ଗୁଣା ଲୋକେ ଏବର୍ଷ ବାଲିଯାତ୍ରା ବୁଲିଛନ୍ତି, ଦୁଇ ଗୁଣା କିଣାବିକା ବି ହୋଇଛି । ପ୍ରଶାସନିକ ଆକଳନ କହୁଛି, ୭୦ ଲକ୍ଷରୁ ଅଧିକ ଲୋକ ଏଥର ମେଳାକୁ ଆସିଛନ୍ତି । ପାଖାପାଖି ୨ ଶହ କୋଟି ଛୁଇଁଯାଇଛି ବ୍ୟବସାୟ, କାରବାର ।

ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ କାଗଜ ଡଙ୍ଗା ତିଆରିରେ ଗିଜିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡ, ସର୍ବବୃହତ ବାଲୁକାକଳା, ବଲିଉଡ୍‌ ଷ୍ଟାର୍‌ ନାଇଟ୍‌, ସବୁଦିନ ସକାଳୁ ସକାଳୁ ପଥୋତ୍ସବ ଓ ଯୋଗ, ୧୦ ଦିନ ଧରି ମହାନଦୀର ନୀଳ ଜଳରାଶିରେ ଜଳକ୍ରୀଡ଼ା । ଏସବୁ ଏଥର ପାଲଟିଥିଲା ବାଲିଯାତ୍ରାର ବୈଶିଷ୍ଟ୍ୟ । କେବଳ ଏତିକି ନୁହେଁ । କଟକର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ‘କଟକ ଇନ୍‌ କଟକ’ ପ୍ୟାଭିଲିୟନ୍‌ ଏଥର ମୁଖ୍ୟ ଆକର୍ଷଣ ସାଜିଥିଲା । ବାଲିଯାତ୍ରାର ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ରେକର୍ଡ ସଂଖ୍ୟାରେ ଦର୍ଶକ ଏକଜୁଟ୍‌ ହୋଇ ରହିବା ଏବଂ ସମୟ ବିତାଇବା ଯୋଗୁଁ ଏହା ମେଳାର ସର୍ବକାଳୀନ ଶ୍ରେଷ୍ଠ ଆକର୍ଷଣ ବୋଲି କୁହାଯାଉଛି । ଏମିତି ଅନେକ ନୂଆ ବୈଶିଷ୍ଟ୍ୟ ସବୁକୁ ନେଇ ବାଲିଯାତ୍ରା-୨୦୨୨ସଫଳ ଭାବେ ସମାପନ ହେବା ସହ ଜାତୀୟ ମାନ୍ୟତା ହାସଲ ପାଇଁ ଦୃଢ଼ ଦାବି ମଧ୍ୟ ସାବ୍ୟସ୍ତ କରିଛି ।

ପ୍ରଚଳିତ ବ୍ୟବସ୍ଥାରେ ସଂସ୍କାର ଆଣି ବାଲିଯାତ୍ରାକୁ ବେଶ ନିଆରା ଢଙ୍ଗରେ ଏଥର ପାଳନ କରିବାକୁ ଦୀର୍ଘ ୬ ମାସ ଧରି ପ୍ରସ୍ତୁତି ଜାରି ରଖିଥିଲା କଟକ ଜିଲ୍ଲା ପ୍ରଶାସନ । ପ୍ଲଟ୍‌ ବିକ୍ରି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ସହ ମଧ୍ୟସ୍ଥି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିଲା । ସିଧାସଳଖ ବ୍ୟବସାୟୀ ନିଜ ଇଛା ମୁତାବକ ପ୍ଲଟ୍‌ କିଣିପାରିବେ ବୋଲି ନିୟମ କରାଯାଇଥିଲା । ଯଦିଓ ଘରୋଇକରଣ, ବଜାରୀକରଣ, ନିଲାମ୍‌ ବ୍ୟବସ୍ଥାକୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ରହିଥିଲା, ଛୋଟ ବ୍ୟବସାୟୀଙ୍କ ପ୍ରତି ପ୍ରଶାସନ ଅନ୍ୟାୟ କରୁଥିବା ଅଭିଯୋଗ ଉଠିଥିଲା, ତଥାପି ଜଟିଳ ପ୍ରକ୍ରିୟା ଭିତରେ ପ୍ଲଟ୍‌ ବିକ୍ରି ଶେଷ ହୋଇଥିଲା । ଏଥର ବାଲିଯାତ୍ରାରେ ପ୍ରାୟ ୧୬ ଶହ ଷ୍ଟଲ୍‌ ହୋଇଥିବା ବେଳେ ୭ ଜଣ ମୁଖ୍ୟ ପ୍ରାୟୋଜକ ରହିଥିଲେ । ପ୍ଲଟିଂ ବ୍ୟବସ୍ଥାରେ ସୁଧାର ଅଣାଯାଇଥିଲା । ଚଉଡ଼ା, ଓସାରିଆ ରାସ୍ତା କରି ମେଳା ପଡିଆକୁ ଏକାଧିକ ରାସ୍ତା ସହ ସଂଯୋଗ କରାଯାଇଥିଲା ।

ନବକଳେବର ରୂପରେ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ରାଜ୍ୟସ୍ତରୀୟ କଟକ ବାଲିଯାତ୍ରା ମହୋତ୍ସବ । ପ୍ରଥମଦିନ ଭିଡ଼ ଏତେ ନ ଥିଲା । ଦ୍ୱିତୀୟ ଦିନ ଅର୍ଥାତ୍‌ ୯ତାରିଖରୁ ମେଳା ପଡିଆକୁ ଲୋକେ ଗଡ଼ିବା ଆରମ୍ଭ କରିଥିଲେ । ପ୍ରତିଦିନ ହାରାହାରି ୫ରୁ ୬ ଲକ୍ଷ ଲୋକ ବାଲିଯାତ୍ରା ବୁଲିଥିଲେ । ଶନିବାର ଓ ରବିବାର ଭିଡ଼ ଦୁଇଗୁଣା ବଢିଯାଇଥିଲା । ରବିବାର ତ ଦର୍ଶକ ସଂଖ୍ୟା ୧୫ ଲକ୍ଷ ଟପିଥିବା ଆକଳନ କରାଯାଇଥିଲା । ଭିଡ଼ ଓ ଟ୍ରାଫିକ୍‌ ଜାମ୍‌ ସ୍ଥିତିରେ ସେଦିନ ସାରା ସହର ଛନ୍ଦି ହୋଇପଡିଥିଲା । ଏହା ଭିତରେ ବାଲିଯାତ୍ରା ଦୁଇ ଦିନ ବଢାଇବାକୁ ସିଏମ୍‌ସି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଦିନଟିଏ ବଢାଇବାକୁ ସରକାରଙ୍କ ସମ୍ମତି ମିଳିବା ପରେ ଗୁରୁବାର ପର୍ଯ୍ୟନ୍ତ ବାଲିଯାତ୍ରା ବଢିଥିଲା ।

nis-ad
Leave A Reply

Your email address will not be published.