ଚୋରୀ ଘଟଣାରେ ଶେରଗଡ ପୁଲିସକୁ ସଫଳତା, ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଲୁଟ୍ ସାମଗ୍ରୀ ଜବତ

୧୦୨ଟି ମୋବାଇଲ ଫୋନ୍ ସମେତ ଲାପଟପ୍‌, ଜେରକ୍ସ ମେସିନ, ୱାଚ, ଅଟୋ ଓ ବାଇକ୍ ଜବତ, ୨ ଗିରଫ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଶେରଗଡ ପୁଲିସକୁ ମିଳିଛି ବଡ ଧରଣର ସଫଳତା । ଚୋରୀ ଘଟଣାର ୧୧ ଦିନ ପରେ ପୁଲିସ ଚୋରୀ ଘଟଣାର ଫର୍ଦ୍ଦାପାଶ କରିଛି । ଚୋରୀ ଘଟଣାରେ ସଂପୃକ୍ତି ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୦୨ଟି ସ୍ମାର୍ଟ ମୋବାଇଲ ଫୋନ୍ ସମେତ ୨ଟି ସ୍ମାର୍ଟ ୱାଚ୍‌, ୨ଟି ଲାପଟପ୍‌, ୨ଟି ବ୍ଳୁଟୁଥ୍‌, ଟଙ୍କା ଗଣିବା ମେସିନ୍‌, ସିସିଟିଭି,ଡିଭିଡି, ଚୋରୀରେ ବ୍ୟବହୃତ ଏକ ଯାତ୍ରୀବାହୀ ଅଟୋ(ଓଡି୩୩ୱାଇ ୪୨୦୬) ଓ ଏକ ବଜାଜ ପଲସର ମୋଟର ସାଇକେଲ (ଓଡି୦୭ଏକେ ୭୬୩୧)କୁ ପୁଲିସ ଜବତ କରିଛି । ଗିରଫ ମାନେ ହେଲେ ପାଟପୁର ଥାନା ପି. ଗଜନ୍ନାଥପୁର ଗ୍ରାମର ଦିଲ୍ଲିପ ବିଷୋୟୀ (୩୨) ଓ ବିଭୁ ସେଠି (୨୬) । ଏ ନେଇ ଶେରଗଡ ଥାନାରେ ନଂ- ୩୮୫/୨୨ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦିପ କୁମାର ଦଳାଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ପୂର୍ବରୁ ଶେରଗଡ ଥାନରେ ଗୋଟିଏ ଏବଂ ପାଟପୁର ଥାନାରେ ସୁନା ଅଳଙ୍କାର ଚୋରୀ ଘଟଣାରେ ଗିରଫ ୨ ଅଭିଯୁକ୍ତ ସାମିଲ ଥିବା ନେଇ ଅଭିଯୁକ୍ତ ମାନେ ସ୍ୱୀକାର କରିଥିବା ପୁଲିସ କହିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ଶେରଗଡ ଥାନା ଆଇଆଇସି ମନୋଜ ପ୍ରଧାନ ଉପସ୍ଥିତ ଥିଲେ ।
ପୁଲିସ ସୁତ୍ରରୁ ପ୍ରକାଶ ଯେ, ଚଳିତ ମାସ ୫ ତାରିଖ ବିଳମ୍ବିତ ରାତିରେ ଶେରଗଡ ମୁଖ୍ୟ ବଜାରରେ ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଦୋକାନ ପଛପଟ ଲୁହା କବାଟ ଭାଙ୍ଗି ଲୁଟେରା ମାନେ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ୧୦୨ଟି ସ୍ମାର୍ଟ ମୋବାଇଲ ଫୋନ୍ ସମେତ ୨ଟି ସ୍ମାର୍ଟ ୱାଚ୍‌, ୨ଟି ଲାପଟପ୍‌, ୨ଟି ବ୍ଳୁଟୁଥ୍‌, ଟଙ୍କା ଗଣିବା ମେସିନ୍ ସହ ଦୋକାନରେ ଲଗାଯାଇଥିବା ସିସିଟିଭିକୁ ଭାଙ୍ଗି ଡିଭିଡି ଚୋରୀ କରି ଏକ ଯାତ୍ରୀବାହୀ ଅଟୋ ଯୋଗେ ଚୋରୀ ସାମଗ୍ରୀ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ପାଣିଗ୍ରାହୀ ୬ ତାରିଖ ସକାଳୁ ଦୋକାନ ଖୋଲିବାକୁ ଆସି ଦୋକାନ ଖୋଲିବା ବେଳେ ଦୋକାନ ପଛପଟ କବାଟ ଭାଙ୍ଗି କୌଣସି ଲୁଟେରା ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହୁ ସାମଗ୍ରୀ ଲୁଟ୍ କରିଥିବା ଜାଣି ଘଟଣା ନେଇ ଶେରଗଡ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ଶେରଗଡ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଆସିକା ଏସଡିପିଓ ସିଂଙ୍କ ନେତୃତ୍ୱରେ ଶେରଗଡ ଆଇଆଇସି ମନୋଜ ପ୍ରଧାନ ଓ ପାଟପୁର ଆଇଆିସି ସବ୍ୟସାଚି ମଲ୍ଲଙ୍କ ତତ୍ତ୍ୱାବଧାନରେ ୨ଟି ସ୍ୱତନ୍ତ୍ର ପୁଲିସ ବାହିନୀ ଗଠନ କରାଯାଇଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ବାହିନୀ ଚଢାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘର ପଛପଟେ ଲୁଚାଇ ରଖିଥିବା ଲୁଟ୍ ସାମଗ୍ରୀକୁ ଜବତ କରିଥିଲେ । ପ୍ରକାଶ ଥାଉକି, ଘଟଣାର ମୁଖ୍ୟ ଅଭିଯୁକ୍ତ ଦିଲ୍ଲିପ ଗତ ୧୨ ବର୍ଷ ପୂର୍ବେ ଅଟୋ ଚାଳକ ଥିବା ବେଳେ ଭୂବନେଶ୍ୱର କିଟ୍ କଲେଜର ଜଣେ ପ୍ରଫେସରଙ୍କୁ ଅପହରଣ କରିଥିଲେ । ସଂପୃକ୍ତ ଅପହରଣ ଘଟଣାରେ ଜେଲରେ ଥିବା ବେଳେ ବର୍ଷକ ପୂବରୁ ଜେଲରୁ ମୁକୁଳିଥିବା ଆସିକା ଏସଡିପିଓ ସିଂ କହିଛନ୍ତି । ଘଟଣାରେ ଆଉ କେତେଜେଣ ସଂପୃକ୍ତି ଅଛନ୍ତି ସେ ନେଇ ପୁଲିସ ଛାନଭିନ ତଦନ୍ତ ଚଳାଇଛି । ତେବେ ଘଟଣାରେ ଆହୁରି ୨ ଜଣ ସଂପୃକ୍ତିି ଥିବା ଜଣାପଡିଛି । ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ପୁଲିସ ଅଧିକ ସୂଚନା ପ୍ରଦାନ କରିନାହିଁ । ଶେରଗଡ ପୁଲିସର ସଫଳତାକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.