ପୁଣି ଆପ ବିରୋଧରେ ଉପ ରାଜ୍ୟପାଳଙ୍କୁ ଚିଠି ଲେଖିଲା ମହାଠକ ସୁକେଶ

ନୂଆଦିଲ୍ଲୀ: ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଗୋଟିଏ ପରେ ଗୋଟିଏ ଚିଠି ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଲେଖି ନାନା ପ୍ରକାରର ଅଭିଯୋଗ କରିବାରେ ଲାଗିଛି। ପୂର୍ବରୁ ଆପ୍‌ ବିରୋଧରେ ଚାନ୍ଦା ଆଦାୟ ଅଭିଯୋଗ ଆଣିଥିବା ମହାଠକ ସୁକେଶ ଏବେ ଜେଲରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛି।

ତାକୁ ଓ ତା’ ପତ୍ନୀକୁ ଜେଲ ମଧ୍ୟରେ ସିଆରପିଏଫ ଯବାନମାନେ ଆପ୍‌ ନେତାଙ୍କ ବିରୋଧରେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ପାଇଁ ଚାପ ପକାଉଛନ୍ତି। ଏଥିସହ ବିଭିନ୍ନ ପ୍ରକାରର ଧମକ ସେମାନେ ଦେଉଥିବା ମହାଠକ ସୁକେଶ ଉପ ରାଜ୍ୟପାଳ ସକ୍ସେନାଙ୍କୁ ଲେଖିଥିବା ଚିଠିରେ ଅଭିଯୋଗ କରିଛି।

ମହାଠକ ତରଫରୁ ଏହା ଉପ ରାଜ୍ୟପାଳଙ୍କୁ ୫ମ ଚିଠି। ଏଥିରେ ସେ କହିଛି ଯେ “ଜେଲ କର୍ତ୍ତୃପକ୍ଷ ଓ ଆପ୍‌ ନେତା ମୋତେ ଓ ପତ୍ନୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ସବୁ ସ୍ତରକୁ ଯାଇପାରିବେ। ମୋ ପାଖରେ ସେମାନଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ରହିଛି। ସେମାନେ ମଧ୍ୟ ଏକଥା ବେଶ ଭଲ ଭାବେ ଜାଣିଛନ୍ତି। ତେଣୁ ସେମାନେ ମୋତେ ଓ ମୋ ପତ୍ନୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ କିଛି ବି କରିପାରନ୍ତି। ତେଣୁ ଆମକୁ ଦିଲ୍ଲୀ ବାହାରର କୌଣସି ଜେଲକୁ ସ୍ଥାନାନ୍ତର କରାଯାଉ।”

ସେ ଆହୁରି କହିଛି ଯେ ଆପ ନେତା ସତ୍ୟେନ୍ଦ୍ର ଜୈନ ତା’କୁ ବୁଝାମଣା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଯଦି ସେ ପ୍ରସ୍ତାବ ଗ୍ରହଣ ନ କରିବ, ତା’ହେଲେ ତା’କୁ ଓ ତା’ ପତ୍ନୀଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରିବାକୁ ଧମକ ମିଳିଥିବା ସୁକେଶ ଚିଠିରେ କହିଛି।

ମହାଠକ ସୁକେଶ ଓ ତା’ ପତ୍ନୀ ଏବେ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତିହାର ଜେଲରେ ଅଛନ୍ତି। ନିକଟରେ ସୁକେଶ ତିହାର ଜେଲରେ ଥିବା ଆପ୍‌ ନେତା ତଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଚାନ୍ଦା ଆଦାୟ ଅଭିଯୋଗ ଆଣିଥିଲା। ଏହାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ମଧ୍ୟ ସେ ଉପ ରାଜ୍ୟପାଳ ସକ୍ସେନାଙ୍କୁ ଚିଠି ଲେଖି ଅନୁରୋଧ କରିଥିଲା।

nis-ad
Leave A Reply

Your email address will not be published.