୧୦ ହଜାରରେ ଶିଶୁକନ୍ୟାକୁ କିଣିଥିଲେ ଦଂପତି, ଉଦ୍ଧାର କଲା ପୁଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଥରେ ଶିଶୁ ବିକ୍ରି ଘଟଣା ସାମ୍ନାକୁ ଆସିଛି। ଖଣ୍ଡଗିରି ଅଞ୍ଚଳରୁ ଏକ ଦଂପତିଙ୍କ ପାଖରୁ ୪ ମାସର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଚାଇଲ୍ଡଲାଇନ୍‌ ଓ କମିସନରେଟ ପୁଲିସର ଚଢ଼ଉ ବଳରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ଶିଶୁକନ୍ୟାକୁ ବିକ୍ରି ନେଇ ଚାଇଲ୍ଡଲାଇନ୍‌ ଓ ଖଣ୍ଡଗିରି ଥାନା ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ କହିବା ଅନୁସାରେ ୪ ମାସର ଶିଶୁକନ୍ୟାକୁ ଖଣ୍ଡଗିରି ଅଞ୍ଚଳର ଏକ ଦଂପତି କିଣିଥିଲେ। ଶିଶୁକନ୍ୟାକୁ ଯେତେବେଳେ ମାତ୍ର ୨୧/୨୨ ଦିନ ହେଉଥିଲା ଦଂପତି ତା’ର ମା’ ଠାରୁ କିଣିଥିଲେ। ବଦଳରେ ସେମାନେ ଶିଶୁକନ୍ୟାର ମା’ଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ନିଷ୍ପାପ ଶିଶୁକୁ କିଣିବା ସମୟରେ ଚତୁର ଦଂପତି ଏକ ସାଦା କାଗଜରେ ତା’ର ମା’ଙ୍କ ଦସ୍ତଖତ କରି ନେଇଥିଲେ। ଏଥି ସହିତ ଦଂପତି ଶିଶୁର ନକଲି ଜନ୍ମ ପ୍ରମାଣ ପତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ।

ଭାରତୀୟ ଦଣ୍ଡ ସଂହିତା ଅନୁସାରେ ଶିଶୁ ବିକିବା ଅଥବା କିଣିବା ଏବଂ ସରକାରୀ କାଗଜପତ୍ରକୁ ନକଲ କରି ନିଜର ସ୍ବାର୍ଥ ହାସଲ କରିବା ବେଆଇନ କାର୍ଯ୍ୟ ଅଟେ। ଶିଶୁକନ୍ୟାକୁ ଉଦ୍ଧାର କରାଯିବା ‌ପରେ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଥିଲା। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଶିଶୁକନ୍ୟାକୁ ମହତାବ ସେବା ସଦନରେ ରଖାଯାଇଥିବା ଜଣାପଡ଼ିଛି। ଉଦ୍ଧାର ସମୟରେ ଚାଇଲ୍ଡଲାଇନ୍‌ର ସଦସ୍ୟ ଘନଶ୍ୟାମ ଭୋଇ ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏନେଇ ଖଣ୍ଡଗିରି ଥାନରେ ଏକ ମାମଲା ରୁଜୁ କରାଯିବା ସହିତ ଡିସିପିଙ୍କୁ ଅବଗତ କରାଯାଇଥିବା ଚାଇଲ୍ଡଲାଇନ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଅତୀତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶିଶୁ ବିକ୍ରି ନେଇ ଏକାଧିକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏପରିକି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ଭଳି ଅଭାବନୀୟ ଘଟଣା ଘଟିବାର ପ୍ରମାଣ ରହିଛି। ଗତବର୍ଷ ଅକ୍ଟୋବର ମାସରେ ସାଲିଆସାହି ଗଣପତି ନଗରର ଜଣେ ଯୁବତୀ ଗତ ୩ ମାସ ତଳେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ତାଙ୍କୁ ଦିଲ୍ଲୀରେ ବିବାହ କରାଇବାର ପ୍ରଲୋଭନ ଦେଖାଇ ୬ ହଜାର ଟଙ୍କା ଦେଇ ଶିଶୁପୁତ୍ରକୁ ଜଣେ ସଫେଇ କର୍ମଚାରୀ କିଣି ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଖବର ପାଇ ଚାଇଲ୍ଡ ଲାଇନର ସଦସ୍ୟମାନେ ପିଲାଟିକୁ ଉଦ୍ଧାର କରିଛନ୍ତି। ସେମାନେ ନୟାପଲ୍ଲୀ ପୁଲିସ ସହ ମିଶି ବିଭିନ୍ନ ବସ୍ତି ଅଚଂଳରେ ଚଢ଼ଉ କରିବା ପରେ ଶିଶୁପୁତ୍ରକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

nis-ad
Leave A Reply

Your email address will not be published.