ଝାରସୁଗୁଡ଼ା: ମା-ଝିଅ ହତ୍ୟାକାଣ୍ଡ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ୨୦୧୬ ମସିହାରେ ମା’ ଓ ଝିଅଙ୍କ ହତ୍ୟା ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ ଅନୁପ ସାଏଙ୍କୁ ଗତ ଏପ୍ରିଲ ମାସରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସେସନ୍ସ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। କିନ୍ତୁ ଏ ମାମଲାର ସହ-ଅଭିଯୁକ୍ତ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ସୂଚନାଯୋଗ୍ୟ, ୨୦୧୬ ମସିହାରେ ପୂର୍ବତନ ବିଧାୟକ ଅନୁପ ସାଏ କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟ ଝିଅଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ। ରାୟଗଡ଼ ଜିଲ୍ଲା ହମୀରପୁର ରାସ୍ତାରେ ଅଜଣା ଲୋକମାନେ କଳ୍ପନା ଓ ତାଙ୍କ ଝିଅଙ୍କର ମୃତଦେହ ଠାବ କରିଥିଲେ। ପରେ ଏହି ମୃତଦେହ କଳ୍ପନା ଦାସ ଓ ତାଙ୍କର ଝିଅ ଭାବେ ଚିହ୍ନଟ ହୋଇଥିଲା। ପ୍ରେମ ସଂପର୍କକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ ଏସ୍ପି ସନ୍ତୋଷ ସିଂଙ୍କ ନେତୃତ୍ବରେ ଚକ୍ରଧରନଗର ପୁଲିସ ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ୨୦୨୦ ମସିହାରେ ଗିରଫ କରିଥିଲା।