ଇସ୍ଲାମାବାଦ : ଗୁଳିମାଡ଼ରେ ଆହତ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ସୌକତ ଖାନୁମ ହସପିଟାଲରେ ଚିକିତ୍ସା କରାଯାଉଛି । ତାଙ୍କର ଏବେ ଏକ ଅପରେସନ ଚାଲିଛି ଓ ଖୁବଶୀଘ୍ର ମେଡିକାଲ ପକ୍ଷରୁ ଏକ ବୁଲେଟିନ ଜାରି କରାଯିବ ବୋଲି ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଏ ଇନସାଫ (ପିଟିଆଇ) ପକ୍ଷରୁ କୁହାଯାଇଛି ।
ଏହି ଗୁଳିକାଣ୍ଡରେ ଜଣେ ପିଟିଆଇ କର୍ମୀ ନିହତ ହୋଇଥିବାବେଳେ ଆଉ ୩ ଜଣ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି । ଅନ୍ୟପକ୍ଷରେ ଗୁଳି ଚଳାଇଥିବା ଅଭିଯୁକ୍ତ କହିଛି ଯେ ଇମ୍ରାନ ଖାଁ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବାରୁ ସେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ।
ପୁଲିସ ହାଜତରେ ଥିବା ଉକ୍ତ ଅଭିଯୁକ୍ତ କହିଛି, “ଇମ୍ରାନ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ଓ ଏହାକୁ ସେ ସହ୍ୟ କରିପାରିଲେ ନାହିଁ । ଏଣୁ ଅନ୍ୟ କେହିନୁହେଁ, କେବଳ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲି ।“
ସେ ଆହୁରି ମଧ୍ୟ କହିଛି ଯେ, ଇମ୍ରାନ ଲାହୋର ଛାଡ଼ିବା ପରଠାରୁ ସେ ତାଙ୍କୁ ମାରିବାକୁ ଉଦ୍ୟମ କରିଆସୁଥିଲା । କିନ୍ତୁ ଏହା ପଛରେ ଅନ୍ୟ କେହି ନାହାନ୍ତି କିମ୍ବା ଅନ୍ୟ କେହି ତାକୁ ସହାୟତା କରିନାହାନ୍ତି ବୋଲି ସେ କହିଛି । ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହା ସହିତ ଇମ୍ରାନଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ।