ଆମେରିକାର ସାଟେଲାଇଟ ଉଡ଼ାଇଦେବାକୁ ରୁଷର ଧମକ

ମସ୍କୋ : ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଯଦି ୟୁକ୍ରେନଯୁଦ୍ଧରେ ସାମିଲ ହୁଅନ୍ତି ତେବେ ସେସବୁ ଦେଶମାନଙ୍କ ବେସାମରିକ ସାଟେଲାଇଟଗୁଡ଼ିକୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦିଆଯିବ ବୋଲି ରୁଷ ଧମକ ଦେଇଛି ।

ରୁଷ ବୈଦେଶିକ ମନ୍ତ୍ରାଳୟ ଅଧିନସ୍ଥ ନିରସ୍ତ୍ରୀକରଣ ଓ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ବିଭାଗର ଉପ-ନିର୍ଦ୍ଦେଶକ କନଷ୍ଟାଣ୍ଟିନ୍ ଭୋରୋନଷ୍ଟୋଭ୍ କହିଛନ୍ତି ଯେ ରୁଷ ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପାଶ୍ଚାତ୍ୟ ଦେଶର କ୍ବାସି-ସିଭିଲିଆନ (ଅର୍ଦ୍ଧ-ବେସାମରିକ) ସାଟେଲାଇଟଗୁଡ଼ିକୁ ଟାର୍ଗେଟ କରିବ । ଏପରିକି ବ୍ୟବସାୟିକ ସାଟେଲାଇଟଗୁଡ଼ିକୁ ବି ଟାର୍ଗେଟ କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି । କାରଣ ପୂର୍ବରୁ ଅନ୍ୟ ଦେଶମାନେ ଗୋପନରେ ବିଭିନ୍ନ ପକ୍ଷ ସହ ସଂପୃକ୍ତ ଥିବାବେଳେ ଏବେ ଖୋଲା ଖୋଲି ଯୁଦ୍ଧରେ ଭାଗ ନେବା ଆରମ୍ଭ କରିଛନ୍ତି । ଗୋଟିଏ ପଟେ ଆମେରିକା ଓ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଯୋଗାଇ ଚାଲିଥିବାବେଳେ ଅନ୍ୟପଟେ ଇରାନ ରୁଷକୁ ଡ୍ରୋନ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇ ଚାଲିଛି ।

ନିକଟରେ ୟୁକ୍ରେନକୁ ଆହୁରି କେତେକ କ୍ଷେପଣାସ୍ତ୍ର ଓ ଅନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦାନ କରିବାକୁ ଆମେରିକା ଘୋଷଣା କରିଛି । ସେହିପରି ଜର୍ମାନୀ ମଧ୍ୟ କେତେକ ଅସ୍ତ୍ର ଦେବାକୁ ଘୋଷଣା କରିଛି । ଅନ୍ୟପକ୍ଷରେ ଇସ୍ରାଏଲ ଏ ଯୁଦ୍ଧରେ ସଂପୃକ୍ତ ହେବାକୁ ମନା କରିଦେଇଛି ।

nis-ad
Leave A Reply

Your email address will not be published.