ରୁଷର ଓସା ମିସାଇଲ ସିଷ୍ଟମ ଧ୍ବଂସ କଲା ୟୁକ୍ରେନ, ୪୦ ରୁଷ ସୈନ୍ୟ ମୃତ

କିବ୍ : ୟୁକ୍ରେନ ଉପରେ ରୁଷ ପ୍ରବଳ ଆକ୍ରମଣ ଚଳାଇଥିବାବେଳେ ୟୁକ୍ରେନ ସେନା ବି ତାହାର କଡ଼ା ଜବାବ ଦେଇଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀର କ୍ଷେପଣାସ୍ତ୍ର ଏବଂ ଆର୍ଟିଲିରୀ ୟୁନିଟ୍ ଦକ୍ଷିଣ ଦିଗରେ ଶତ୍ରୁ ସ୍ଥିତିକୁ ଲକ୍ଷ୍ୟ କରି ୨୪୬ ଟି ରକେଟ୍ ନିକ୍ଷେପ କରିଛି । ଏହା ଦ୍ବାରା ରୁଷପକ୍ଷର ଅନେକ କ୍ଷୟକ୍ଷତି ହୋଇଥିବା ୟୁକ୍ରେନ ଦାବି କରିଛି । ଏସବୁ ଆକ୍ରମଣ ରୁଷର ମୋର୍ଟାର ଓ ଆର୍ଟିଲାରି ସିଷ୍ଟମକୁ ଲକ୍ଷ୍ୟ କରି କରାଯାଇଛି ।
ୟୁକ୍ରେନ ସେନାର ଏହି ଆକ୍ରମଣ ଦ୍ବାରା ରୁଷର ୩ଟି ଟ୍ୟାଙ୍କ, ଓସା ମିସାଇଲ ସିଷ୍ଟମ, ୬ଟି ଯୁଦ୍ଧଯାନ ସମେତ ୪୦ ଜଣ ରୁଷ ସୈନ୍ୟ ନିହତ ହୋଇଛନ୍ତି । ଏହା ସହିତ ବେରିସ୍ଲାଭ ଓ କାଖୋଭକା ଜିଲ୍ଲାରେ ଥିବା ଗୋଳାବାରୁଦ ଡିପୋ ନଷ୍ଟ ହୋଇଯାଇଛି । ୬ ଟି ଟ୍ୟାଙ୍କ ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି ୟୁକ୍ରେନର ସମ୍ବାଦ ସରବରାହ ସଂସ୍ଥା ୟୁକ୍ରେନିନଫର୍ମ କହିଛି ।
ଅନ୍ୟପକ୍ଷରେ ୟୁକ୍ରେନର ବିଦ୍ୟୁତ କେନ୍ଦ୍ର ଉପରେ ରୁଷର ଆକ୍ରମଣ ଜାରି ରହିଛି । ଏପରିକି ରୁଷ ପକ୍ଷରୁ ୟୁକ୍ରେନର ସୋଲାର ପ୍ଲାଣ୍ଟଗୁଡିକ ଉପରେ ବି ଆକ୍ରମଣ କରାୟାଉଛି । ୟୁକ୍ରେନ ପକ୍ଷରୁ ଆମେରିକା ପ୍ରଦତ୍ତ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷ ଉପରେ ଆକ୍ରମଣ କରାଯାଉଥିବାରୁ ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ କରି ୟୁକ୍ରେନର ଯୋଗାଯୋଗ ବ୍ୟବସ୍ଥା ଓ ଆକ୍ରମଣ କ୍ଷମତାକୁ ହ୍ରାସ କରିବାକୁ ଉଦ୍ୟମ କରୁଛି ।
ରୁଷ ଦ୍ବାରା ଦକ୍ଷିଣ ୟୁକ୍ରେନର ଅଧିକୃତ ଅଂଚଳକୁ ଛଡ଼ାଇବାକୁ ୟୁକ୍ରେନ ସେନା ପ୍ରବଳ ପ୍ରତିଆକ୍ରମଣ କରିଚାଲିଛି । ତେବେ ଏ ନେଇ ସଫଳତା ମିଳିପାରିନାହିଁ ।

nis-ad
Leave A Reply

Your email address will not be published.