ଓଡ଼ିଶା ସଶସ୍ତ୍ର ପୋଲିସ୍ ବିଭାଗ କର୍ମଚାରୀଙ୍କ ଦବଙ୍ଗଗିରି ପଡ଼ିଲା ମହଙ୍ଗା

ବାଲିମେଳା : ପୋଲିସ୍ ସମାଜରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତ କରି ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ସଦା ସର୍ବଦା କାର୍ଯ୍ୟ ଗ୍ରହଣ କରୁଥିବା ବେଳେ ଅନେକ ସମୟରେ ପୋଲିସ୍ ବର୍ଦ୍ଦିର ଅପବ୍ୟବହାର ମଧ୍ୟ ଦେଖିବାକୁ ମିଳେ । ଠିକ୍ ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ମଧ୍ୟାହ୍ନ ସମୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରବେଶ ଦ୍ବାର ଅର୍ଥାତ୍ ଗୋପବନ୍ଧୁ ଛକ ନିକଟରେ ଦେଖିବାକୁ ମିଳିଛି । ଘଟଣାର ପ୍ରାକ୍ କଥନ କିଛି ଏ ପ୍ରକାର ରହିଥିଲା ଯେ ପୁରୁଣା ଚିମିଟାପାଲ୍ଲି ଅଞ୍ଚଳର ଓ.ଏ.ପି.ଏଫ୍. କର୍ମଚାରୀ ସନିଆ ମାଡ଼କାମୀ ଡ୍ୟୁଟି ସାରି ଗୋପବନ୍ଧୁ ଛକରେ ଏକ ସେଲୁନ ନିକଟରେ ନିଜ ମୋଟର ସାଇକେଲ ରଖି ଠିଆ ହୋଇଥିଲେ । ଠିକ୍ ଏଇ ସମୟରେ ଚିତ୍ରକୋଣ୍ଡା ଅଞ୍ଚଳରୁ ଲାଲୁ ବାହାଦୂର ନାମକ ଏକ ଯୁବକ ବାଲିମେଳା ସହର ଆଡ଼କୁ ମୋଟର ସାଇକେଲ ଚଳାଇ ଆସୁଥିବା ବେଳେ ତାଙ୍କ ଗାଡ଼ିର ଦର୍ପଣ ଅଂଶ ଆଂଶିକ ଭାବେ ସନିଆଙ୍କ ଗାଡ଼ିରେ ବାଜି ଯାଇଥିଲା । ବାସ୍ ଏତିକି ଘଟଣାରେ ଉତ୍ୟକ୍ତ ହୋଇ ଖାକୀ ବର୍ଦ୍ଦିରେ ଥିବା ପୋଲିସ୍ ବାବୁ ସ୍ଥାନ,କାଳ,ପାତ୍ର,ପଦ ମର୍ଯ୍ୟାଦା ସବୁକିଛି ଭୁଲି ଯାଇ ଆକ୍ରମଣାତ୍ମକ ହୋଇ ଉଠିଲେ । ଯୁବକ ଲାଲୁ ବାହାଦୂରଙ୍କ ଗାଡ଼ି ଅଟକାଇ ପାଖରେ ଥିବା ହେଲମେଟ ଦ୍ଵାରା ଓ ହାତରେ ଚାପୁଡ଼ା ସମେତ ପାଟିରେ ଅକଥନୀୟ ଶବ୍ଦ ସହ ମାର୍ ପିଟ୍ ଆରମ୍ଭ କରିଦେଇଥିଲେ ।
ତେବେ ପୋଲିସ୍ ବାବୁଙ୍କର ଦବଙ୍ଗଗିରି ସମୟରେ କେହି ଜଣେ ବ୍ୟକ୍ତି ଏ ସମ୍ପୂର୍ଣ୍ଣ ଘଟଣାକୁ ନିଜ ମୋବାଇଲ କ୍ୟାମେରା ଯୋଗେ କଏଦ୍ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଏଣୁ ଖୋଦ୍ ଏସ୍.ପି. ସମ୍ପୃକ୍ତ ପୋଲିସ୍ କର୍ମଚାରୀଙ୍କ ଏଭଳି ଅପବ୍ୟବହାର କାରଣରୁ ତାଙ୍କୁ ନିଲମ୍ବନ କରିଥିବା ଆଜି ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ତେବେ ପୋଲିସ୍ ବାବୁଙ୍କର ବର୍ଦ୍ଦିକୁ ନେଇ ମଣିଷପଣିଆ ଭୁଲି ଯାଇ ଆକ୍ସନ୍ ମୋଡ୍ କୁ ଆସିବା ମହଙ୍ଗା ପଡିଲା ଏବଂ କାର୍ଯ୍ୟାନୁଷ୍ଠାନ ପରେ ସାଧାରଣରେ ଆକ୍ରୋଶ ଥମିଛି ।

nis-ad
Leave A Reply

Your email address will not be published.