ନିର୍ମାଣ ହେବାର ୩ ବର୍ଷ ନପୂରୁଣୁ ରାସ୍ତା ଫାଟି ଆଁ

ବୁଗୁଡ଼ା : ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ୩ ବର୍ଷ ନପୂରୁଣୁ ରାସ୍ତା ଫାଟି ଆଁ ହୋଇଗଲାଣି l ଏମିତି ଅବସ୍ଥା ଦେଖିବାକୁ ମିଳିଛି ବୁଗୁଡ଼ା ବୁଦ୍ଧଖୋଲ ରାସ୍ତା ଠାରୁ ଆଦିପୁର ଗ୍ରାମକୁ ସଂଯୋଗ କରିବା ପାଇଁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାରେ l ୨୦୧୮ ମସିହାରେ ସମୁଦାୟ ୧ କିମି ୨୮୦ ମିଟର ବିଶିଷ୍ଟ ରାସ୍ତା ପାଇଁ ୪୬ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ କରାଯାଇ ୨୦୧୯ରେ କାର୍ଯ୍ୟ ଶେଷ ହୋଇଥିଲା l ତେବେ ଦୀର୍ଘ ଦିନ ହେଲା ଏହି ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଯାହା ଫଳରେ ସ୍କୁଲ, କଲେଜକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସମେତ ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେବା ସହ ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣା ମଧ୍ୟ ଘଟୁଛି l ୨୦୨୪ ପର୍ଯ୍ୟନ୍ତ ମରାମତି ଦାୟିତ୍ୱ ସମ୍ପୃକ୍ତ ଠିକାଦାରଙ୍କ ହୋଇଥିଲେ ହେଁ ଏଥିପ୍ରତି କେହି ଗୁରୁତ୍ୱ ଦେଉ ନଥିବା ଜଣା ପଡିଛି l ଦୀର୍ଘ ୨ ବର୍ଷ ହେଲା ଏଠାରେ କୌଣସି ସ୍ଥାୟୀ ଯନ୍ତ୍ରୀ ନଥିବା ବେଳେ ବୁଗୁଡ଼ା ନିକଟ ଷୋଳମାଇଲି ଠାରେ ଥିବା ବିଭଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁତ କୋଠି ପାଲଟି ଗଲାଣି l ପୁରୁଷୋତ୍ତମପୁର ଯନ୍ତ୍ରୀ ବୁଗୁଡ଼ା ଅତିରିକ୍ତ ଦାୟିତ୍ୱରେ ଥିବା ବେଳେ ଦୀର୍ଘ ଦିନ ହେଲା ଯନ୍ତ୍ରୀଙ୍କ ଦେଖା ମିଳୁ ନଥିବାରୁ ଲୋକେ କାହାକୁ ଅଭିଯୋଗ କରିବେ ଜାଣି ପାରୁନାହାନ୍ତି l ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚରା ଯିବାରେ ସମ୍ପୃକ୍ତ ଠିକାଦାରଙ୍କୁ ମରାମତି ପାଇଁ ଚିଠି ହୋଇଛି ଯଦି ସେ ନ କରନ୍ତି ତା’ହେଲେ ତାଙ୍କର ସିକ୍ୟୁରିଟି ଟଙ୍କାରୁ ମରାମତି କାର୍ଯ୍ୟ କରାଯିବ l ତେବେ ରାସ୍ତା ମରାମତି କେବେ ହେଉଛି ତାହା ଦେଖିବାକୁ ବାକି ରହିଲା l

nis-ad
Leave A Reply

Your email address will not be published.