ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର

ଧରାକୋଟ: ଘରୋଇ କଳହକୁ ନେଇ ଗୁଳିମାଡ଼ ହୋଇଛି। ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ଶୈଳନ୍ଦ୍ରୀ ପାତ୍ର। ଅଭିଯୁକ୍ତ ସ୍ବାମୀ ମହାଦେବ ପାତ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସୂଚନା ଅନୁସାରେ ରାଶିବାଡ଼ି ଗାଁର ମହାଦେବ ପାତ୍ର ଓ  ତା ସ୍ତ୍ରୀ ଶୈଳେନ୍ଦ୍ରୀ ପାତ୍ରଙ୍କ ମଧ୍ୟରେ ଆଜି କୌଣସି କାରଣରୁ ନେଇ ବଚସା ହୋଇଥିଲା। ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ କଷେଇ ଗାଁ ନିକଟରେ ଥିବା ହରଭଙ୍ଗି କେନାଲ ହିଡରେ ଉଭୟଙ୍କ ମଧ୍ୟରେ ହେଉଥିବା ବଚସା ତିବ୍ର ଆଡ଼କୁ ଗତି କରିଥିଲା। ଏଥିରେ ଉତକ୍ଷିପତ ହୋଇ ସ୍ଵାମୀ ମହାଦେବ ପାତ୍ର ସ୍ତ୍ରୀ ଶୈଳେନ୍ଦ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ଯାଇ ଶୈଳେନ୍ଦ୍ରୀଙ୍କ ବାମ ହାତର ଉପର ଭାଗରେ ବାଜିଥିଲା। ସ୍ତ୍ରୀ ଭୂମିରେ ପଡ଼ିଯିବା ପରେ ସ୍ଵାମୀ ମହାଦେବ ଭୟରେ ଜଙ୍ଗଲ ଆଡ଼କୁ ପଳାଇଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ଶୈଳେନ୍ଦ୍ରୀଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଘରୋଇ କଳହକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ବେଳେ ତଦନ୍ତଜାରି ରହିଥିବା କଥା ବଡଗଡ ଥାନା ଅଧିକାରୀ ସୂରଜ କୁମାର ଝାଙ୍କର କହିଛନ୍ତି।

nis-ad
Leave A Reply

Your email address will not be published.