ନୂଆଦିଲ୍ଲୀ: ଦେଶର ୫୦ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେବେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ତାଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ତାଙ୍କ କାର୍ଯ୍ୟକାଳ ନଭେମ୍ବର ୯ ତାରିଖରୁ ଆରମ୍ଭ ହେବ। ବର୍ତ୍ତମାନ ସିଜେଆଇ ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ୟୁୟୁ ଲଳିତଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଚନ୍ଦ୍ରଚୂଡ଼ ନଭେମ୍ବର ୯ ତାରିଖରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।
ଜଷ୍ଟିସ ୟୁୟୁ ଲଳିତ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ବାଛିଥିଲେ। ଏହି ପ୍ରସ୍ତାବ ଆଇନ ମନ୍ତ୍ରଣାଳୟ ପାଖକୁ ପଠାଯାଇଥିଲା। ଏହାପରେ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପ୍ରସ୍ତାବକୁ ପଠାଇଥିଲା। ଆଜି ରାଷ୍ଟ୍ରପତି ମୁର୍ମୁ ଏହି ପ୍ରସ୍ତାବ ଉପରେ ମୋହର ମାରିଥିବା ଆଇନ ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ସୂଚନା ଦେଇଛନ୍ତି।
ଦେଶର ୫୦ତମ ସିଜେଆଇ ହେବାକୁ ଯାଉଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ଏକାଧିକ ସାମ୍ବିଧାନିକ ବେଞ୍ଚ ଓ ଗୁରୁପୂର୍ଣ୍ଣ ତଥା ଐତିହାସିକ ମାମଲାରେ ରାୟ ଦେଇଛନ୍ତି। ଅଯୋଧ୍ୟା ଜମି ବିବାଦ, ଗୋପନୀୟତାର ଅଧିକାର ଓ ପରକ୍ରୀୟା ପ୍ରୀତି ସମ୍ପର୍କରେ ରାୟ ପ୍ରକାଶ କରିଥିବା ବେଞ୍ଚରରେ ସେ ରହିଥିଲେ।
ହାର୍ବାଡ ବିଶ୍ୱବିଦ୍ୟାଳୟରୁ ଆଇନ ବିଭାଗରେ ୨ଟି ଡିଗ୍ରୀ ହାସଲ କରିବା ପରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଭାରତର ପ୍ରଥମଓକିଲ ଭାବେ ମାତ୍ର ୩୯ ବର୍ଷ ବୟସରେ ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇଥିଲେ। ଏହାପରେ ୧୯୯୮ରେ ସେ ଦେଶର ସଲିସିଟର ଜେନେରାଲ ହୋଇଥିଲେ।
ଆଇନଜୀବୀ ଭାବେ କାମ କରୁଥିବା ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ ଓକଲାହୋମା ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଆଇନର ଶିକ୍ଷା ନେଇଥିଲେ। ଏଥିସହ ବମ୍ବେ ବିଶ୍ୱବିଦ୍ୟାଳୟର କମ୍ପ୍ୟାରେଟିଭ କନଷ୍ଟିଚ୍ୟୁସନାଲ ଲ’ର ଭିଜିଟିଂ ପ୍ରଫେସର ଭାବେ ମଧ୍ୟ କାମ କରିଥିଲେ।
୨୦୧୩ରେ ସେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ଏଠାରେ ୩ ବର୍ଷ କାମ କରିବା ପରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଜଷ୍ଟିସ ଚନ୍ଦ୍ରଚୂଡ଼ ହେଉଛନ୍ତି ସବୁଠାରୁ ଅଧିକ ସମୟ ପାଇଁ ସିଜେଆଇ ଭାବେ କାମ କରିଥିବା ୱାଇଭି ଚନ୍ଦ୍ରଚୂଡ଼ଙ୍କ ପୁଅ। ଜଷ୍ଟିସ ୱାଇଭି ଚନ୍ଦ୍ରଚୂଡ଼ ୧୯୭୮ ମସିହା ଫେବୃଆରୀ ୨୨ରୁ ୧୯୮୫ ମସିହା ଜୁଲାଇ ୧୧ ଯାଏ ସିଜେଆଇ ରହିଥିଲେ।
ଏବେ ତାଙ୍କ ପୁଅ ଜଷ୍ଟିସ ଚନ୍ଦ୍ରଚୂଡ଼ ୨ ବର୍ଷ ପାଇଁ ସିଜେଆଇ ପଦରେ ରହିବେ। ନଭେମ୍ବର ୯ରେ ସେ ଦାୟିତ୍ୱ ନେବାକୁ ଯାଉଥିବା ବେଳେ ତାଙ୍କ କାର୍ଯ୍ୟକାଳ ୨୦୨୪ ନଭେମ୍ବର ୧୦ରେ ଶେଷ ହେବ।
Sign in
Sign in
Recover your password.
A password will be e-mailed to you.