କଳାକାର ଭତ୍ତା ଅଭିବୃଦ୍ଧି ନେଇ ମହାସଂଘର ଦାବି

ବ୍ରହ୍ମପୁର, (୧୬/୧୦) : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ଆଜି ପୂର୍ବାହ୍ନ ଦଶ ଘଟିକା ସମୟେ ସ୍ଥାନୀୟ ଭଞ୍ଜ ମଣ୍ଡପ ଠାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ସଂଘର ଭଞ୍ଜନଗର ସଂଯୋଜକ ଜୟ କୃଷ୍ଣ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସାଙ୍ଗଠନିକ ଆଲୋଚନା କ୍ରମରେ ମହାସଂଘର ଜାତୀୟ ସ୍ତରରେ ପ୍ରସାର ନେଇ ଆଲୋକପାତ କରିଥିଲେ । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ କଳାକାରମାନଙ୍କୁ ଚାରି ଦିନ ତଳେ ଚାରି ମାସର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଭତ୍ତା ପଠାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବ୍ୟବହିତ ପୂର୍ବରୁ ଗତକାଲି ଆଉ ଗୋଟିଏ ମାସର ଭତ୍ତା ପଠେଇଥିବା ହେତୁ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟସରକାରଙ୍କୁ ଆନୁଷ୍ଠାନିକ ଭାବେ ସାଧୁବାଦ ଜ୍ଞାପନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ମସିହାର ନିଅଣ୍ଟିଆ ବା ବାକି ପଡିଥିବା କଳାକାରମାନଙ୍କୁ ଭତ୍ତା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଶାୟୀ କଳାକାରମାନେ ଆବେଦନ କରିଥିଲେ । ଦୀର୍ଘ ଦିନ ବିତିଥିଲେ ମଧ୍ୟ ତାହାର ଚୁଡାନ୍ତ ନିଷ୍ପତ୍ତି ନେଇ ସେମାନଙ୍କୁ ଅଦ୍ୟାବଧି ପ୍ରଦାନ କରାଯାଇ ନାହିଁ । ତାହା ଯଥାଶୀଘ୍ର ପ୍ରଦାନ ସହ ଏ ନିଅଣ୍ଟିଆ କାଳରେ କଳାକାରମାନଙ୍କ ଭତ୍ତା ରାଶି ଅନ୍ୟାନ୍ୟ ପ୍ରଦେଶ ଭଳି ବୃଦ୍ଧି କରାଯିବା ଆବଶ୍ୟକ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏଣୁ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ନୂଆ କଳାକାର ଭତ୍ତା ପ୍ରଦାନ ଓ କଳାକାର ଭତ୍ତାର ବୃଦ୍ଧି ନିମନ୍ତେ ନିବେଦନ କରାଗଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କୁନୁ ବେହେରା, ପ୍ରଦୀପ କୁମାର ସାହୁ, ପେଣ୍ଡ୍ରା ପ୍ରସାଦ ନାୟକ, ବାଲାଜୀ ସାମନ୍ତରାୟ, ନରେନ୍ଦ୍ର କୁମାର ବେହେରା, ରାଜେନ୍ଦ୍ର ପଣ୍ଡା, ପ୍ରମୋଦ କୁମାର ଦଣ୍ଡସେନା, କିଶୋର କପୂର୍, ଗୀତା ସ୍ୱାଇଁ, ବନ୍ଦନା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ବୁଗୁଡ଼ା ସଂଯୋଜକ ତ୍ରିଲୋଚନ ପଣ୍ଡା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.