ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି

ଭଦ୍ରକ:ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପରେ ପ୍ରଚାର ପାଇଁ ଆରମ୍ଭ ହେଲାଣି ସଜବାଜ । ତିନି ରାଜନୈତିକ ଦଳ ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି । ବିଜେଡିର ପ୍ରଚାର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ଦଳ । ଅଭିଜ୍ଞ ଓ ବରିଷ୍ଠ ନେତା, ୯ ଜଣ ମହିଳା ଓ ଯୁବ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି ।

ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୮ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼ାଇ, ରାଜେନ୍ଦ୍ର ଢୋଲକିଆ ଓ ଅଶ୍ୱିନୀ ପାତ୍ର ।

ସେହିପରି ଧାମନଗରରେ ପ୍ରଚାରରେ କରିବେ ୪ ଜଣ ସାଂସଦ ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ମୁନ୍ନା ଖାଁ ଓ ସୁଲତା ଦେଓ । ୪ ସିନେ ତାରକାଙ୍କ ସମେତ ବହୁ ବିଧାୟକ ଓ ହେଭିେଓ୍ଵଟ ନେତା ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ଭୋଟ୍‌ ମାଗିବେ । ପୂର୍ବରୁ ବ୍ରଜରାଜନଗର ଓ ପିପିଲି ଉପନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରେ ନବୀନ ପଟ୍ଟନାୟକଙ୍କ ନାଁ ଥିଲା । କିନ୍ତୁ ପ୍ରଚାର ମୈଦାନକୁ ଓହ୍ଲାଇ ନଥିଲେ ନବୀନ । ଧାମନଗର ବ୍ୟାଟଲ ଗ୍ରାଉଣ୍ଡରେ ଅବନ୍ତୀଙ୍କ ପାଇଁ ବିଜେଡି ସୁପ୍ରିମୋ ଭୋଟ୍‌ ମାଗିବେ କି ନାହିଁ ତାକୁ ଅପେକ୍ଷା ।

ସେହିପରି ଧାମନଗର ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଜାରି କରିଛି ବିଜେପି । ଏମାନଙ୍କ ଭିତରେ ଅଛନ୍ତି ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବ । ଏମାନଙ୍କ ସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ସମେତ ବହୁ ବିଧାୟକ, ସାଂସଦ ବି ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଭୋଟ୍‌ ମାଗିବେ ।

ସେହିପରି କଂଗ୍ରେସର ଷ୍ଟାର ତାଲିକାରେ ୩୦ ଜଣ ନେତା ଅଛନ୍ତି । ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର, ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଚାର ମଙ୍ଗ ଧରିବେ । ସେହିପରି ପୂର୍ବତନ ସାଂସଦ ଭକ୍ତ ଦାସଙ୍କ ସମେତ ବହୁ ବିଧାୟକ ଓ ବରିଷ୍ଠ ନେତା କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ପ୍ରଚାର କରିବେ।

nis-ad
Leave A Reply

Your email address will not be published.