ଖୋଲୁଛି ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା କାରନାମା ପେଡ଼ି

ଭୁବନେଶ୍ୱର : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା କାରନାମା ପେଡ଼ିରୁ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଦିନ ଗଡ଼ିବା ସାଙ୍ଗକୁ ତାଙ୍କ ଫାଶରେ ପଡ଼ିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚେହେରା ପଦାରେ ପଡୁଛି। ରାଜନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ଚଳଚ୍ଚିତ୍ର ପ୍ରଯୋଜକ, ଶିଳ୍ପପତି ଓ ବ୍ୟବସାୟୀଙ୍କ ନାଁ ପଦାକୁ ଆସିବା ପରେ ଏବେ ଗଣମାଧ୍ୟମର ସମ୍ପୃକ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ତାଙ୍କ କାରନାମାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତ କରିବାକୁ ଏକ ସଂଗଠନ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି।

ଆଉ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଟଙ୍କା ତାଙ୍କ ପୁରୁଣା ଗାଡ଼ି ଶୋ’ ରୁମ୍‌ରେ ବିନିଯୋଗ ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି। ଲେଡି ବ୍ଲାକମେଲରଙ୍କ ସବୁ କିଛି ବୁଝୁଥିବା ଖଗେଶ୍ୱର ପାତ୍ର ଓରଫ ଖଗା ଓରଫ ବାଇନଠାରୁ ତଥ୍ୟ ସଂଗ୍ରହ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି। ଲେଡି ବ୍ଲାକମେଲରର ଲମ୍ବା ଚେର ଖୋଜିବା ପାଇଁ ପୁଲିସକୁ ନାକେଦମ େହବାକୁ ପଡୁଛି। ତଦନ୍ତରେ ବ୍ୟାଘାତ ଆଶଙ୍କା କରି ପୁଲିସ ସେ ସଂକ୍ରାନ୍ତରେ ମୁହଁ ଖୋଲିବାକୁ ପଛଘୁଞ୍ଚା ଦେଉଛି।

ଅର୍ଚ୍ଚନା ରାଜଧାନୀରେ ପାଦ ଥାପିବା ପରେ ପ୍ରଥମେ ଏକ ଜଣାଶୁଣା ଏଫଏମ୍‌ ରେଡିଓରେ ଚାକିରି କରିଥିଲେ। ସେତେବେଳେ ତାଙ୍କୁ ୧୭ବର୍ଷ ହୋଇଥିଲା। ସେଠାରେ ୬ମାସ ଚାକିରି କରିବା ପରେ ସେହି ମାଲିକଙ୍କ ଅଧୀନରେ ଥିବା ବୈଦ୍ୟୁତିକ ଗଣମାଧ୍ୟମରେ ଆଙ୍କର ଭାବେ କାମ କରିବାକୁ ସେ ମନ ବଳାଇଥିଲେ। କଥାବାର୍ତ୍ତା ଭିତରେ ସେଠାରେ ବ୍ଲାକମେଲିଂ ଆରମ୍ଭ କରିଥିଲେ। ଫଳରେ ସେଠାରେ ତାଙ୍କୁ ଚାକିରି ମିଳିନଥିଲା। ଏହି ସମୟରେ ଅର୍ଚ୍ଚନା ରସୁଲଗଡ଼ ଅଞ୍ଚଳରେ ରହୁଥିଲେ। ଅଫିସ ଯିବା ଆସିବା ସମୟରେ ଜଳେଶ୍ୱର ଅଞ୍ଚଳର ଜଗବନ୍ଧୁ ଚାନ୍ଦଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଜଗବନ୍ଧୁଙ୍କ ବନ୍ଧୁ ବାଇନର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଗାଡ଼ି ଗ୍ୟାରେଜରେ ଉଭୟ ପ୍ରେମାଳାପ କରୁଥିଲେ। କିଛିଦିନ ପରେ ବାଇନ ସହିତ ଅର୍ଚ୍ଚନାଙ୍କ ତ୍ରିକୋଣୀୟ ପ୍ରେମ ସମ୍ପର୍କ ହୋଇଥିଲା। ବାଇନଠାରୁ ଦୂରେଇବା ପାଇଁ ଉଭୟ ଜାଗମରା ଅଞ୍ଚଳରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଘରେ ଭଡ଼ା ନେଇ ରହିଥିଲେ। ସେଠାରେ ଅଭିଯୋଗକାରିଣୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ସହ ଉଭୟଙ୍କ ପରିଚୟ ହୋଇଥିଲା। ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ଅର୍ଚ୍ଚନା ବ୍ଲାକମେଲିଂର ଜାଲ ପୁଣି ବିଛାଇଥିଲେ। ସେମାନଙ୍କ ଲିଙ୍କରେ ବଡ଼ବଡ଼ିଆ ପଡ଼ିବା ପରେ ପୁଣି ବାଇନ ପହଞ୍ଚି ପୁରୁଣା ସମ୍ପର୍କ ଯୋଡ଼ିଥିଲା। ସତ୍ୟବିହାରରେ ଉଭୟ ଘର କରିବା ସହ ସେଠାରେ ଦେହର ପସରା ମେଲିଥିଲେ। େଦହର ଭୋକ ମେଣ୍ଟାଇବା ପାଇଁ ତାଙ୍କ ନିକଟରେ ରାଜନେତା, ମନ୍ତ୍ରୀ, ଯନ୍ତ୍ରୀ, ପ୍ରଯୋଜକ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଧାଡ଼ି ଲାଗିଥିଲା। କୋଟିପତିଙ୍କଠାରୁ କଳା ଟଙ୍କା ହାତେଇବା ପାଇଁ ସେ ସବୁ ଯୋଜନା କରିଥିଲେ।

ଏହାପରେ ସେ ମାତ୍ର ୪ବର୍ଷ ଭିତରେ କୋଟି କୋଟି ଟଙ୍କାର ମାଲିକ ବନିଯାଇଥିଲେ। ପରେ ପୁରୁଣା ଗାଡ଼ି ଶୋ’ ରୁମ୍‌ ଖୋଲିଥିଲେ ଜଗବନ୍ଧୁ ଓ ବାଇନ। ଏହାର ସବୁ କିଛି ବୁଝାସୁଝା କରୁଥିଲେ ବାଇନ। ଉକ୍ତ ଶୋ’ ରୁମ୍‌ରେ ଭଦ୍ରକ ଜିଲାର ଜଣେ ପୂର୍ବତନ ମନ୍ତ୍ରୀଙ୍କ କୋଟି କୋଟି କଳା ଟଙ୍କା ବିନିଯୋଗ ହୋଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ବାଇନ ନିକଟରେ ପୁଲିସ ପହଞ୍ଚି ସାରିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ତେବେ ଜଗବନ୍ଧୁ କେଉଁଠି ଅଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ତ୍ରିକୋଣୀୟ ପ୍ରେମକୁ ନେଇ ଜଗବନ୍ଧୁ ଓ ବାଇନଙ୍କ ମଧ୍ୟରେ ଶତ୍ରୁତା ବଢ଼ି ଯାଇଥିଲା। ରାସ୍ତାରୁ ହଟାଇବା ପାଇଁ କିଛି ଦିନ ତଳେ ବାଇନ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଗବନ୍ଧୁକୁ ଗୁଳି କରିଥିଲା। ହେଲେ ଭାଗ୍ୟବଶତଃ ଜଗବନ୍ଧୁ ଗୁଳିମାଡ଼ରୁ ବର୍ତ୍ତିଯାଇଥିଲା। ପରେ ଏହି ଘଟଣାକୁ ମିଳିମିଶି ଚାପି ଦେଇଥିଲେ। ଗତ ଜୁନ୍‌ ମାସରେ ସତ୍ୟବିହାରରେ ଉଭୟ ମିଶି ଭୋଜିଭାତ କରୁଥିଲେ। ନିଶାସକ୍ତ ଅବସ୍ଥାରେ ବାଇନ ସେଠାରେ ଦୁଇ ମହଲା ଉପରୁ ଜଗବନ୍ଧୁକୁ ତଳକୁ ଠେଲି ଦେଇଥିଲା। ତଳେ ପଡ଼ି ଜଗବନ୍ଧୁର ଗୋଡ଼ ଭାଙ୍ଗି ଯାଇଥିଲା। ଏସବୁ ଭିତରେ ଅର୍ଚ୍ଚନା ଓ ବାଇନ ମିଶି ବ୍ଲାକମେଲିଂ ଜାରି ରଖିଥିଲେ। ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀ କାହାକୁ ଛାଡ଼ିନଥିଲେ। ଶେଷରେ ସେମାନଙ୍କୁ ବାନ୍ଧିବା ପାଇଁ ଅଦୃଶ୍ୟ ନିର୍ଦେଶ ହୋଇଥିଲା। ପୁଲିସ ତରବରିଆ ଭାବେ ଅର୍ଚ୍ଚନାଙ୍କୁ ଗିରଫ କରିଥିବାବେଳେ ବାଇନ ଓ ଜଗବନ୍ଧୁ ଖସିଯିବା ପାଇଁ ସୁଯୋଗ ପାଇଥିଲେ। ଅନ୍ୟପଟେ ଅର୍ଚ୍ଚନାଙ୍କ କୋଟି କୋଟି ଟଙ୍କା ସମ୍ପତ୍ତିର ତଦନ୍ତରେ ପୁଲିସର ସ୍ୱଚ୍ଛତା ରହିବ ନାହିଁ, କାରଣ ଗିରଫର ୧୦ ଦିନ ବିତିଥିଲେ ମଧ୍ୟ ଅର୍ଚ୍ଚନାଙ୍କୁ ଜିମାରେ ଆଣି ପଚରା ଉଚରା ପାଇଁ କମିସନରେଟ ପୁଲିସ ମନ ବଳାଉନାହିଁ। ମାମଲାରେ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି। ସେମାନଙ୍କ ଚାପରେ ପୁଲିସର ତଦନ୍ତ ବାଟବଣା ହେବା ସ୍ୱାଭାବିକ ଦର୍ଶାଇ ମାମଲାର ନିରପେକ୍ଷ ତଦନ୍ତ ନିମନ୍ତେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରାଯାଇଛି।

nis-ad
Leave A Reply

Your email address will not be published.