ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଟେଲ ମାଲିକକୁ ମରଣାତ୍ମକ ଆକ୍ରମଣ, ତିନି ଯୁବକ ଗିରଫ

ବ୍ରହ୍ମପୁର : ଦୁଇ ଦିନ ପୂର୍ବେ ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ତହସିଲ ଅଫିସ ନିକଟରେ ଥିବା ମା ମହୁରୀ କାଳୁଆ ହୋଟେଲ ମାଲିକ ପିଣ୍ଟୁ ଜେନାଙ୍କୁ ଖଣ୍ଡାରେ ମରଣାତ୍ମକ ଆକ୍ରମଣରେ କରିଥିବା ୩ ଯୁବକଙ୍କୁ ସଦର ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ କୁକୁଡାଖଣ୍ଡି କାଳୁଆ ସାହିର ସାଗର ମହାନ୍ତି, ବିକାଶ ପାତ୍ର ଓ ଖଣ୍ଡିଆ ସାହିର ସୁଦାମ ସାହୁ । ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଗୋଟିଏ ଖଣ୍ଡା ସହ ଦୁଇଟି କ୍ରିକେଟ୍ ଷ୍ଟମ୍ପ୍ ଜବତ କରିଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁ କହିଛନ୍ତି ।ଆଜି ଅଭିଯୁକ୍ତମାନଙ୍କୁ କେସ ନଂ୪୮୦/୨୨ରେ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ରାତ୍ର ୧୦ଟା ବେଳେ ଶାନ୍ତି ନଗରର ଯୁବକ ତଥା ମା ମହୁରୀ କାଳୁଆ ହୋଟେଲ ମାଲିକ ପିଣ୍ଟୁ ଜେନା ବସିଥିବା ବେଳେ ଉପରୋକ୍ତ ଅଭିଯୁକ୍ତମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଗାଳି ଗୁଳଜ କରିବା ସହ ଗୋଟିଏ ଖଣ୍ଡା ଏବଂ ଦୁଇଟି କ୍ରିକେଟ୍ ଷ୍ଟମ୍ପ୍ ମାଧ୍ୟମରେ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଆକ୍ରମଣରେ ପିଣ୍ଟୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ବାମଗୋଡଭାଙ୍ଗି ଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରିଥିଲା ।ଅନ୍ୟପଟେ ପିଣ୍ଟୁ ମେଡ଼ିକାଲ ଚିକିତ୍ସା ହୋଇ ଫେରିବା ପରେ ସଦରର ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ କେସ ନଂ ୪୮୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ପରେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.