ଅଳଙ୍କାର ସଫେଇ କରିବା ନାଁରେ ଲୁଟ୍ ଘଟଣାରେ ଦୁଇ ଗିରଫ

ବ୍ରହ୍ମପୁର : ଅଳଙ୍କାର ସଫେଇ କରିବା ନାଁରେ ଲୁଟ୍ ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ଗୋଳନ୍ଥରା ଥାନା ପୋଲିସ୍ । ଗତ ସେପ୍ଟମ୍ବର ୨୪ ତାରିଖରେ ଗୋଳନ୍ଥରା ତୁଳସୀବିହାର ନିବାସୀ ନିରୁପମା ନନ୍ଦ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଦୁଇ ଜଣ ଅଜଣା ବ୍ୟକ୍ତି ତାଙ୍କ ଘରକୁ ଆସି ସୁନା ଅଳଙ୍କାରକୁ କେମିକେଲ୍ ପାଉଡ଼ର ଦ୍ୱାରା ସଫା କରିବା ପାଇଁ ବୁଝାଇଥିଲେ । ତେବେ ଏଥିରେ ରାଜି ହୋଇ ନିରୁପମା ନନ୍ଦ ତାଙ୍କୁ ଗୋଟିଏ ସୁନା ଚେନ୍‌, ମଙ୍ଗଳସୂତ୍ର, ଏବଂ ଗୋଟିଏ ରୂପା ବ୍ରେସଲେଟ୍ ସଫା କରିବା ପାଇଁ ଦେଇଥିଲେ । ତେବେ ଅଭିଯୁକ୍ତ ମାନେ ତାଙ୍କୁ ଠକି ଉକ୍ତ ଅଳଙ୍କାରକୁ ଲୁଟି ନେଇ ଚାଲିଯାଇଥିଲେ । ଏନେଇ ସେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହ ବିହାର ରାଜ୍ୟ ଭଙ୍ଗଳପୁର ଜିଲ୍ଲାର ଭାରତ ସାହା ଓ ଦିନେସ୍ ପ୍ରସାଦ ସାହାକୁ ଗିରଫ କରିଛି ପୋଲିସ । ସେମାନଙ୍କୁ ପଚରା ଉଚରା କରିବା ପରେ ସେମାନେ ଏଭଳି ଉପାୟରେ ଲୁଟ୍ କରିଥିବା ମାନିଥିଲେ । ତାଙ୍କର ଗ୍ୟାଙ୍ଗ୍‌ରେ ୪ ଜଣ ରହିଥିବା କହିଥିଲେ । ସେମାନେ ଏକା ରହୁଥିବା ବରିଷ୍ଠ ନାଗରିକ ମାନଙ୍କୁ ଟାର୍ଗେଟ୍ କରି ଏଭଳି ସୁନା ଅଳଙ୍କାର ସଫେଇ କରିବା ନାଁରେ ଲୁଟ୍ କରୁଥିବା ମାନିଥିଲେ । ତେବେ ପୋଲିସ ସେମାନଙ୍କ ଠାରୁ ବିଭିନ୍ନ ଥାନା ଇଲାକାରେ ଚୋରି କରିଥିବା ପ୍ରାୟ ୧୮୬ ଗ୍ରାମର ସୁନା ଅଳଙ୍କାରକୁ ଜବତ କରିଛି । ଅନ୍ୟ ଦୁଇ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରୀ ରଖିଛି । ତେବେ ଏହି ଲୁଟେରାଙ୍କ ଠାରୁ ଚୋରି କିଣିବା ଅଭିଯୋଗରେ ଟାଉନ୍ ଥାନା ଅର୍ନ୍ତଗତ ଗିରିମାର୍କେଟ୍ ଗୋରିଲା ସାହିର ଲୋକେସ୍ ଓରଫ ପି. ରାଜେସ୍ କୁମାରକୁ ଗିରଫ କରିଛି ପୋଲିସ । ଏହି ଅଭିଯୁକ୍ତ ମାନେ ପୂର୍ବରୁ ଗୋଳନ୍ଥରା, ଦିଗ୍‌ପହଣ୍ଡି, କେ. ନୂଆଗାଁ ଥାନା ଇଲାକାରେ ହୋଇଥିବା ବହୁ ମାମଲାରେ ଜଡ଼ିତ ରହିଥିବା ବେଳେ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏମାନଙ୍କ ନାମରେ ମାମଲା ରହିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.