ଦୁର୍ଗାପୂଜା ମଜାକୁ ଧୋଇନେଲା ବର୍ଷା, ଶ୍ରଦ୍ଧାଳୁଙ୍କ ମନ ଫିକା

ବୁଗୁଡା : ଦୁଇ ବର୍ଷ ବ୍ୟବଧାନରେ ବହୁ ଆଡମ୍ବରରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ମହାସପ୍ତମୀରେ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଆରମ୍ଭ ହେଲା । ବୁଗୁଡାର ମଦନ ମୋହନ ଛକ ଓ ନୂଆଁ ବସଷ୍ଟାଣ୍ଡ ସମେତ ବାଦୁଆ, ବି.କରଡ଼ାବାଡ଼ି ଓ ବାଲିପଦର ଆଦି ଗ୍ରାମରେ ଆକର୍ଷଣୀୟ ମେଢମାନ ପ୍ରସ୍ତୁତ ହୋଇଥିଲା । ପ୍ରତିକୂଳ ପାଗ ଯୋଗୁଁ ମା’ଙ୍କ ଅଷ୍ଟମୀ ଓ ନବମୀ ପୂଜା ସେତେଟା ଉତ୍ସାହଜନକ ହୋଇ ପାରିନଥିଲା ବେଳେ ଆଶା ରହିଥିଲା ଦୁର୍ଗାଦେବୀଙ୍କ ବିଜୟାଦଶମୀ ପୂଜା ଉତ୍ସାହପ୍ରଦ ହେବ । ତେବେ ଏଥିରେ ମଧ୍ୟ ଲଗାଣ ବର୍ଷା ବାଧା ଦେଇଥିଲା । ଦିନ ତମାମ ତୁହାକୁ ତୁହା ବର୍ଷା ଯୋଗୁଁ ଲୋକେ ନିହାତି କାମ ନଥିଲେ ଘରୁ ବାହାରୁ ନଥିଲେ । ସନ୍ଧ୍ୟା ସମୟରେ ଅନବରତ ବର୍ଷା ସାଙ୍ଗକୁ ବାରମ୍ବାର ବିଦ୍ଯୁତ୍ କାଟ ହେତୁ ପୂଜା ମଣ୍ଡପ ଗୁଡିକ ଭକ୍ତ ବିନା ଫାଙ୍କା ପଡିଥିଲା । ପୂଜା କମିଟି ଗୁଡିକ ପକ୍ଷରୁ ଆୟୋଜିତ ପ୍ରସାଦ ବଣ୍ଟନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଫସର ଫାଟି ଯାଇଥିଲା । ଗତ ଦୁଇ ବର୍ଷ କରୋନା କଟକଣା ସତ୍ତ୍ୱେ ଦଶହରାରେ ମା’ ଦୁର୍ଗାଙ୍କ ଦର୍ଶନ ଲାଭ କରିପାରିଥିବା ବେଳେ ଏହି ବର୍ଷ ସେତିକି ମଧ୍ୟ ଭାଗ୍ଯରେ ଜୁଟି ନଥିବାରୁ ଶ୍ରଦ୍ଧାଳୁଙ୍କ ମନ ଫିକା ପଡିଯାଇଛି । ଏଥର ଦୁର୍ଗା ପୂଜା ମଜା ବର୍ଷାରେ ଧୋଇ ହୋଇଗଲା ବୋଲି ସର୍ବମତ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.