ଅଖଣ୍ଡ ଦୀପରୁ ପରିବା ବଜାରରେ ଅଗ୍ନିକାଣ୍ଡ , ୩ଟି ଦୋକାନ ପୋଡି

ବୁଗୁଡ଼ା (୦୬/୧୦) : ସ୍ଥାନୀୟ ତ୍ରିନାଥ ସ୍ବାମୀ ପରିବା ବଜାରରେ ବୁଧବାର ରାତି ସାଢେ ଦଶଟା ବେଳେ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ପୋଡି ଯାଇଥିବା ଜଣାଯାଇଛି । ଅଗ୍ନିକାଣ୍ଡରେ ବ୍ୟବସାୟୀ ଧୋବା ପ୍ରଧାନ, ସିମାଞ୍ଚଳ ପୋଲାଇ ଓ ସନ୍ୟାସୀ ପଣ୍ଡାଙ୍କ ଗୋଟିଏ ଲେଖାଏଁ ଦୋକାନ ପୋଡି ବ୍ୟାପକ କ୍ଷୟକ୍ଷତି ହୋଇଛି । ଉକ୍ତ ଅଗ୍ନିକାଣ୍ଡ ଯୋଗୁଁ ଦୋକାନରେ ଗଚ୍ଛିତ ଥିବା ପରିବା ସହ ଦରକାରୀ କାଗଜପତ୍ର ପୋଡିଯାଇ ସିମାଞ୍ଚଳଙ୍କ ସର୍ବାଧିକ କ୍ଷତି ହୋଇଥିବା ବେଳେ ତିନି ବ୍ଯବସାୟୀଙ୍କ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବାର ଆକଳନ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଦଶହରା ପୂଜା ପାଇଁ ଧୋବା ପ୍ରଧାନଙ୍କ ଦୋକାନରେ ଅଖଣ୍ଡ ଦୀପ ଜଳୁଥିଲା । କୌଣସି କାରଣରୁ ସେଥିରୁ ନିଆଁ ବାହାରି ଏହି ଅଗ୍ନିକାଣ୍ଡ ଘଟିଥିଲା । ରାତି ପ୍ରାୟ ସାଢେ ଦଶଟା ବେଳେ ପରିବା ବଜାରରେ ହୁତୁ ହୁତୁ ହୋଇ ନିଆଁ ଜଳୁଥିବାର ଦେଖି ଲୋକେ ପାଟି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅନ୍ୟପକ୍ଷରେ କୌଣସି ସୂତ୍ରରୁ ଖବର ପାଇ ବିଦ୍ଯୁତ୍ ବିଭାଗର କର୍ମଚାରୀମାନେ ପହଞ୍ଚି ପରିବା ବଜାରକୁ ବିଦ୍ଯୁତ୍ ବିଚ୍ଛିନ୍ନ କରିଥିଲେ । ଏଥିସହ ଦମକଳବାହିନୀ ଆବିଳମ୍ବେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ, ଅଗ୍ନିକାଣ୍ଡର ଭୟଙ୍କର ରୂପ ଦେଖି ଲୋକେ ପରିବା ବଜାରରେ ଅଶେଷ କ୍ଷୟକ୍ଷତିର ଆଶଙ୍କା କରୁଥିବା ବେଳେ ସ୍ଥାନୀୟ ଦମକଳବାହିନୀର ଅଗ୍ନିଯୋଦ୍ଧାଗଣ ନିଜ ନିଜର କାର୍ଯ୍ୟ ଦକ୍ଷତା ଏବଂ ସାମୁହିକ ସକ୍ରିୟତା ବଳରେ ବାଲିପିଣ୍ଡି ପୋଖରୀରୁ ପାଣି ଆଣି ଖୁବ୍ କମ୍ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରି ସାଧାରଣରେ ଖୁବ୍ ପ୍ରଶଂସିତ ହୋଇପାରିଥିବା ଜଣାଯାଇଛି।

nis-ad
Leave A Reply

Your email address will not be published.