ସିନ୍ଦେ ଗୋଷ୍ଠୀଙ୍କୁ ସମର୍ଥନ ଘୋଷଣା କଲେ ଉଦ୍ଧବ ଠାକରେଙ୍କ ଭାଇ ଜୟଦେବ

ମୁମ୍ବାଇ: ଶିବସେନା ବିନାମ ଶିବସେନା ଲଢ଼େଇରେ ବଡ଼ ଟ୍ୱିଷ୍ଟ ଆସିଛି। ବିଜେପି ସହ ହାତ ମିଳାଇ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ଓ ତାଙ୍କ ସହ ଥିବା ଶିବସୈନିକଙ୍କୁ ସମର୍ଥନ କରିଛନ୍ତି ଉଦ୍ଧବ ଠାକରେଙ୍କ ଭାଇ ଜୟଦେବ ଠାକରେ। ଦଶହରାରେ ଉଦ୍ଧବ ଠାକରେ ରାଲି କରି ପ୍ରକୃତ ଶିବସେନାର ଭାବେ ନିଜର ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ଭାଇ ଜୟଦେବଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି।
ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହେବା ପରେ ସିନ୍ଦେ ଗୋଷ୍ଠୀ ମଧ୍ୟ ନିଜକୁ ପ୍ରକୃତ ଶିବ ସୈନିକ କହୁଛନ୍ତି। ହେଲେ ଏହାକୁ ଉଦ୍ଧବ ଗୋଷ୍ଠୀ ଗ୍ରହଣ କରୁନାହାନ୍ତି। ପ୍ରକୃତ ଶିବସେନା କିଏ, ତା’ର ବିଚାର ନିର୍ବାଚନ କମିଶନ କରୁଥିବା ବେଳେ ଆଜି ଉଭୟ ଗୋଷ୍ଠୀ ଦଶହରା ଉପଲକ୍ଷେ ରାଲି କରିଛନ୍ତି। ହେଲେ ଘର ଭିତରୁ ଉଦ୍ଧବ ଠାକରେଙ୍କୁ ଝଟକା ଲାଗିଛି।
ଆଜି ଉଦ୍ଧବ ଠାକରେଙ୍କ ଭାଇ ଜୟଦେବ ଠାକରେ ବିଦ୍ରୋହୀ ଏକନାଥ ସିନ୍ଦେଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି। ସିନ୍ଦେ ଗୋଷ୍ଠୀ ଆୟୋଜନ କରିଥିବା ଦଶହରା ରାଲିରେ ଯୋଗଦେଇ ଜୟଦେବ ଠାକରେ କହିଛନ୍ତି, “ଗତ ୫ରୁ ୬ ଦିନ ହେଲେ ମୋତେ ପଚରାଯାଉଛି ଯେ ମୁଁ କ’ଣ ସିନ୍ଦେ ଗୋଷ୍ଠୀଙ୍କ ସହ ରହିଛି। ହେଲେ ଠାକରେମାନେ କୌଣସି ଗୋଷ୍ଠୀ ହୋଇପାରିବେ ନାହିଁ। ସେମାନଙ୍କୁ ଭାଗ ବଣ୍ଟା ଯାଇ ପାରିବ ନାହିଁ। ସିନ୍ଦେ ସପକ୍ଷବାଦୀମାନେ ନେଇଥିବା ପଦକ୍ଷେପକୁ ମୁଁ ପସନ୍ଦ କରୁଛି।
ଏହି ଭଲ ପାଇବା ପାଇଁ ମୁଁ ଆଜି ଏଠାକୁ ଆସିଛି। ଏକନାଥଙ୍କୁ କେହି କେବେ ଏକା ଛାଡ଼ନ୍ତୁ ନାହିଁ। ଆପଣମାନେ ତାଙ୍କୁ ସମର୍ଥନ କରନ୍ତୁ। ସିନ୍ଦେ ଗରିବ ଓ ଚାଷୀଙ୍କ ପାଇଁ କାମ କରୁଛନ୍ତି। ସିନ୍ଦେ ଆମର ଚାଷୀମାନଙ୍କ ସହ ସମାନ। ସେ ଜଣେ କଠିନ ପରିଶ୍ରମୀ। ମୁଁ ଏତିକି କି କହିବେ ଯେ ପୁଣିଥରେ ସିନ୍ଦେ ରାଜ୍ୟ କମବ୍ୟାକ କରୁ। ନିର୍ବାଚନ ହେବାକୁ ଦିଆଯାଉ ଓ ସିନ୍ଦେ ରାଜ୍ୟ ଆସୁ। ମୋର ପୂର୍ଣ୍ଣ ସମର୍ଥନ ଏକନାଥ ସିନ୍ଦେଙ୍କ ସହ ରହିଛି।”

nis-ad
Leave A Reply

Your email address will not be published.