ନୂଆଦିଲ୍ଲୀ ୦୩।୧୦: ଗୋଟିଏ ମିନିଟରେ ୭୫୦ ଗୁଳି ବର୍ଷା । ୨୨ବର୍ଷ ତଳେ ଭାରତ ଯେଉଁ ସ୍ବପ୍ନ ଦେଖିଥିଲା ତାହା ପୂରା ହୋଇଛି । ଭାରତୀୟ ବାୟୁସେନାରେ ସାମିଲ ହୋଇଛି ହାଲୁକା ଲଢୁଆ ବିମାନ । ଯାହାର ନାଁ ରଖା ଯାଇଛି ପ୍ରଚଣ୍ଡ ।
ଖବର ଅନୁଯାୟୀ, ନବରାତ୍ରର ମହାଷ୍ଟମୀ ତିଥିରେ ଏହି ଲାଇଟ୍ କମ୍ବାଟ ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ କରିବା ସହ ଏହାର ନାଁ ଦେଇଛନ୍ତି ପ୍ରଚଣ୍ଡ । ବାୟୂସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ ହାଲୁକା ଆକ୍ରମଣକାରୀ ହେଲିକପ୍ଟର । ରାଜସ୍ଥାନ ଯୋଧପୁର ଏୟାରବେସରେ ଏହି ହେଲିକପ୍ଟରକୁ ମୁତୟନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ହେଲକପ୍ଟରକୁ ବାୟୂସେନାକୁ ସମର୍ପଣ କରିଛନ୍ତି । ଏହି ଯୁଦ୍ଧ ବିମାନ ଭାରତର ବିଜୟ ରଥ ବୋଲି କହିଛନ୍ତି ରାଜନାଥ ।
ତେବେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସିଡିଏସ୍ ଜେନେରାଲ ଅନିଲ ଚୌହାନ ଯୋଗ ଦେଇଥିଲେ । ଜେନେରାଲ ଚୌହାନ ସିଡିଏସର ପଦ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ । ଆଗକୁ ସେନାର ଯୋଜନା ଅଛି ଯେ, ଏବେ ୯୫ଟି ହାଲୁକା ହେଲିକପ୍ଟର କିଣିବ। ଏହାକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । କିଛି ହେଲିକପ୍ଟରକୁ ଧ୍ରୁବ ମାଧ୍ୟମରେ ବିକଶିତ କରାଯିବ । ଭାରତୀୟ ବାୟୁସେନାକୁ ୧୦ଟି ବିମାନ ମିଳିଛି । କିଛି ଦିନ ଭିତରେ ଆଉ ୭ଟି ବିମାନ ସାମିଲ ହେବ ।