ବଗଳାମୁଖି ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡୀ

କଟକ: ଆଜି ମହାଷଷ୍ଠୀ। ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ। ଦୁଇ ବର୍ଷ ପରେ ଜାକଜମକରେ ମାଆଙ୍କ ପୂଜା ଆୟୋଜନ ହେଉଥିବାରୁ ସବୁଠି ଉତ୍ସାହର ପରିବେଶ। ଆଜି ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଷଷ୍ଠୀ ପୂଜା ହେଉଛି। ସଂନ୍ଧ୍ୟାରେ ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ। ଏଥିଲାଗି ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି। ସୁନା, ଚାନ୍ଦି ମେଢ଼ରେ ମାଆଙ୍କ ମୃଣ୍ମୟ ମୂର୍ତ୍ତି ସଜ୍ଜା ଯାଇଛି।

କଟକର ବିଭିନ୍ନ ମଣ୍ଡପରେ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଖିଝଲସା ଆଲୋକ ମାଳାରେ ଝଲସିଲାଣି ପୂଜା ମଣ୍ଡପ। କଟକ କଲେଜ ଛକ ପୂଜା ମଣ୍ଡପରେ ଏଥର ନୂଆ କରି ମାଆ ଚାନ୍ଦି ମେଢରେ ଶୋଭା ପାଇବେ। ଏଠାରେ ପ୍ରାୟ ୩ କୁଇଣ୍ଟାଲ ଚାନ୍ଦିରେ ମେଢ ପ୍ରସ୍ତୁତ ହୋଇଛି। ଏହାସହ କଟକ ସହରରେ ଦୁଇଟି ସୁଉଚ୍ଚ ତୋରଣ ଦେଖିବାକୁ ମିଳିବ।  ବାଦାମବାଡ଼ିରେ ଏଥର ଫିଲ୍ମ ବାହୁବଳିର ମାହେସ୍ମତି ତୋରଣ ହୋଇଛି। ଖାନନଗରରେ ଅମରନାଥ ଗୁମ୍ଫା ତୋରଣ ପ୍ରସ୍ତୁତ ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରମୁଖ ପୂଜାମଣ୍ଡପଗୁଡ଼ିକରେ ବ୍ୟାପକ ଆୟୋଜନ କରାଯାଇଛି। ନୂୟାପଲ୍ଲୀ, ସହିଦନଗର, ଝାରପଡ଼ା, ରସୁଲଗଡ଼, ବରମୁଣ୍ଡା ଓ ଷ୍ଟେସନବଜାର ଆଦି ପ୍ରମୁଖ ମଣ୍ଡପ ସହ ସହରରେ ଶତାଧିକ ମଣ୍ଡପରେ ପୂଜା ପାଇବେ ମାଆ। ସେହିପରି ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ୱର ଆଦି ସ୍ଥାନରେ ବି ବେଶ୍ ଧୁମ୍‌ଧାମରେ ପାଳନ ହେଉଛି ପୂଜା।

ଆଜି ମାଆ କଟକ ଚଣ୍ଡୀଙ୍କ ବଗଳାମୁଖି ବେଶରେ ଦର୍ଶନ ଦେଉଛନ୍ତି। ସେହପରି ମାଆ ଗଡଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି। ଗତକାଲି ମାଆ କଟକ ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।

nis-ad
Leave A Reply

Your email address will not be published.