ଅହିଂସା ରଥକୁ ବୁଗୁଡ଼ାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ


ବୁଗୁଡ଼ା : ଅହିଂସାର ବାର୍ତ୍ତା ବହନ କରି ଚଳିତ ମାସ ୧୫ ତାରିଖରୁ ଗଞ୍ଜାମ ଜିଲ୍ଲାରେ ଭ୍ରମଣ କରୁଥିବା ଅହିଂସା ରଥ ଆଜି ଅପରାହ୍ନରେ ବୁଗୁଡ଼ା ଅଞ୍ଚଳରେ ପହଞ୍ଚିଥିଲା । ଅହିଂସା ରଥ ଆସି ପ୍ରଥମେ ବ୍ଲକର ଏ.କରଡ଼ାବାଡ଼ି ଠାରେ ପହଞ୍ଚିବା କ୍ଷଣି ତାହାକୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ ପରେ ତାହା ପୋଚାଲୁଣ୍ଡି ଗାଁ ଛକ , କଳମ୍ବ ଛକ , ବାଲିପଦର ଛକ, ପାଙ୍ଗିଡି ଗାଁ ଛକ ଅତିକ୍ରମ କରି ବୁଗୁଡ଼ା ଏନଏସିର ନୂଆଁ ବସଷ୍ଟାଣ୍ଡରେ ପହଞ୍ଚି ଥିଲା । ସେଠାରେ ଅହିଂସା ରଥକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ ପରେ ତାହାକୁ ପୁଣି ବୁଗୁଡ଼ା ବଡଦାଣ୍ଡ , ଚଢିଆପଲ୍ଲୀ ଛକ ଓ ଗୋଲିଆ ଛକରେ ସ୍ବାଗତ କରାଯାଇଥିଲା ଏବଂ ପରିଶେଷରେ ତାହା ପୋଲସରା ଅଭିମୁଖେ ଯାତ୍ରା କରିଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ସଂଗ୍ରାମ କେଶରୀ ଜେନା , ଆଇଆଇସି ଚିତ୍ତ ରଞ୍ଜନ ବେହେରା , କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ , ସିଡିପିଓ ରଞ୍ଜିତା ତ୍ରିପାଠୀ , ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଏନଏସି ଅଧକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀଙ୍କ ସମେତ ଅଙ୍ଗନୱାଡି କର୍ମୀ , ଆଶା କର୍ମୀ , ଏନସିସି ଛାତ୍ରଛାତ୍ରୀ , ରେଡକ୍ରସର ସ୍ବେଛାସେବୀ , ରୋଭର ଓ ସ୍କାଉଟ୍ ଛାତ୍ରଛାତ୍ରୀ , ସରକାରୀ କର୍ମଚାରୀ , ଜନପ୍ରତିନିଧି ଓ ଜନତା ଉପସ୍ଥିତ ରହି ଅହିଂସା ରଥକୁ ସ୍ବାଗତ କରିଥିଲେ । ଏ ଅବସରରେ ବୁଗୁଡା ବଡଦାଣ୍ଡ ଠାରେ ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଅର୍ଜୁନ ସାହୁଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା ବେଳେ ତାହାକୁ ତାଙ୍କର ପୁତ୍ର ଦୁର୍ଯ୍ୟୋଧନ ସାହୁ ଗ୍ରହଣ କରିଥିଲେ । ଅହିଂସା ରଥ ଏନ୍ଏସି ପରିକ୍ରମା ବେଳେ ୧୦୦ ମିଟର ଲମ୍ବର ଜାତୀୟ ପତାକା ପ୍ରଦର୍ଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।

nis-ad
Leave A Reply

Your email address will not be published.