ରାଜ୍ୟସ୍ତରୀୟ ‘ଜୁନିଅର ମେନ୍ ହକି ଚମ୍ପିଆନସିପ୍ସ’ରେ ଚାମ୍ପିୟନ ହୋଇଥିବା ସୁନ୍ଦରଗଡ଼ ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା…

ସୁନ୍ଦରଗଡ଼ : ହକି ଆସୋସିଏସନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ‘ଜୁନିଅର ମେନ୍ ହକି ଚମ୍ପିଆନସିପ୍ସ ୨୦୨୨’ ରେ ସୁନ୍ଦରଗଡ଼ ଟିମ ଚାମ୍ପିୟନ ହୋଇଛି। ଶନିବାର ଦିନ ଏହି ଟିମର ଖେଳାଳିମାନେ ସୁନ୍ଦରଗଡରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ସୁନ୍ଦରଗଡ଼ ସହରରେ ଥିବା ପାରିଜାତ ପାର୍କଠାରୁ ଖୋଲା ଗାଡ଼ିରେ ଏକ ଶୋଭାଯାତ୍ରାରେ ହକି ଟିମର ସମସ୍ତ ଖେଳାଳିଙ୍କୁ ସଦଭାବନା ଭବନକୁ ନିଆଯାଇଥିଲା। ସେଠାରେ ପ୍ରଶାସନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଖେଳାଳିମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ହକି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶାରୀରିକ ଫିଟନେସ ଉପରେ ଧ୍ୟାନ ରଖି ଆଗାମୀ ଦିନରେ ଭଲ ଖେଳ ପ୍ରଦର୍ଶନ କରିବାକୁ ଜିଲ୍ଲାପାଳ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ।

ସୁନ୍ଦରଗଡ଼ ହେଉଛି ହକିର ଗଡ଼। ଏହି ଖେଳର ବିକାଶ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ରାଉରକେଲା ସହ ସୁନ୍ଦରଗଡ଼ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଫଳରେ ଆଗାମୀ ଦିନରେ ଅନେକ ପ୍ରତିଭାବାନ ହକି ଖେଳାଳି ସୁନ୍ଦରଗଡ଼ ଜିଲ୍ଲାରୁ ବାହାରି ପାରିବେ ବୋଲି ଜିଲ୍ଲାପାଳ କହିଥିଲେ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଓ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ଦାଶରଥି ସରାବୁ, ଜିଲ୍ଲା ହକି ଆସୋସିଏସନର କାର୍ଯ୍ୟକାରୀ ସଭାପତି ରାମେଶ୍ଵର ଟପ୍ପୋ, ସାଧାରଣ ସମ୍ପାଦକ ସିଲଭେଷ୍ଟର ତିର୍କୀ, ଯୁଗ୍ମ ସମ୍ପାଦକ ଚାରୁଆ ବାର୍ଲା, ଯୁଗ୍ମ ସମ୍ପାଦକ ତଥା ବରିଷ୍ଠ ହକି କୋଚ୍ ତେଜ କୁମାର ଖେସ୍, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.