ସୁନ୍ଦରଗଡ଼ ରେ ହେବ ଖେଲୋ ଇଣ୍ଡିଆ ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ଲିଗ୍…


ସୁନ୍ଦରଗଡ଼ : ଆସନ୍ତା ଅକ୍ଟୋବର ମାସରେ ଭାରତରେ ଆୟୋଜିତ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ବାଳିକା ବିଶ୍ୱକପ୍। ଏହି ପ୍ରତିଯୋଗିତା ପରେ ସେହି ଧାରାକୁ ଦେଶରେ ଆଗେଇ ନେବା ପାଇଁ ଜନସମୁହଙ୍କ ଭାଗିଦାରୀ ଅତ୍ୟନ୍ତ ଆବଶ୍ୟକ। ଏହାକୁ ହୃଦୟଙ୍ଗମ କରି ସାଇ ସହଯୋଗରେ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ଫାଓ ( ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା) ୧୭ ବର୍ଷରୁ କମ୍ ବାଳିକାମାନଙ୍କ ଏକ ଫୁଟବଲ୍ ଲିଗ୍ ଆୟୋଜନ କରିବାର ସ୍ଥିରୀକୃତ ହୋଇଛି। ପ୍ରକାଶ ଯୋଗ୍ୟ ଯେ ଭାରତରେ ୪୦ ଟି ସ୍ଥାନରେ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଠାରେ ଏହାର ଏକ ପ୍ରକରଣ ଅନୁଷ୍ଠିତ କରିବା ଦାୟିତ୍ଵ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦକୁ ପ୍ରଦାନ କରାଯାଇଛି। ଏହି ପ୍ରକରଣର ପ୍ରଥମ ଚରଣ ଚଳିତ ସେପ୍ଟେମ୍ବର ୨୬ରୁ ସେପ୍ଟେମ୍ବର ୩୦ ଯାଏଁ ଏବଂ ଦ୍ଵିତୀୟ ଚରଣ ଆସନ୍ତା ଅକ୍ଟୋବର ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାର ସୂଚନା ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ପ୍ରଦାନ କରିଛନ୍ତି। ଏହି ଫୁଟବଲ୍ ଲିଗ୍ କିଞ୍ଜିର୍ମା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆୟୋଜିତ ହେବାର ନିଷ୍ପତ୍ତି ଆଜି ଜିଲ୍ଲା କ୍ରୀଡ଼ା ସଂସଦ ପରିସରରେ ସଂସଦର ବରିଷ୍ଠ ସଦସ୍ୟ ବିମଳ ବୋଷଙ୍କ ଅଧ୍ୟକ୍ଷତାରେ ସମାପିତ ଟୁର୍ଣ୍ଣାମେଣ୍ଟ କମିଟି ବୈଠକରେ ନିଆଯାଇଛି ବୋଲି ମନ୍ତବ୍ୟ ଦେଇଛନ୍ତି ସଂସଦର ସାଧାରଣ ସମ୍ପାଦକ ଶ୍ରୀ ଭୋଳ। ଏହି ପ୍ରତିଯୋଗିତାରେ ଛଅଟି ମହିଳା ଦଳ ଯଥା ରାଉରକେଲା ଇସ୍ପାତ କାରଖାନା, ସୁନ୍ଦରଗଡ଼ ସେଣ୍ଟ ମେରୀ ଉଚ୍ଚ ବିଦ୍ୟାଳୟ, କୁଆଁରମୁଣ୍ଡା ୟଙ୍ଗ ଆସୋସିଏସନ, ରାଜଗାଙ୍ଗପୁର ଫୁଟବଲ୍ କ୍ଳବ୍, କିଞ୍ଜୀର୍ମା ସରକାରୀ ଉଚ୍ଚ ବିଦ୍ୟାଳୟ, କିଞ୍ଜିରକେଲାସ୍ଥିତ କୁଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ଭାଗ ନେବେ। ବିଜୟୀ ଦଳକୁ ୨୫୦୦୦ଟଙ୍କା, ଉପବିଜେତା ଦଳକୁ ୧୫୦୦୦ଟଙ୍କା ଏବଂ ଅନ୍ୟ ଚାରି ଦଳକୁ ୫୦୦୦ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ସୂଚନା ଦେଇଛନ୍ତି। ଏହି ବୈଠକରେ ସଂସଦର ଉପସଭାପତି ପୌଷ ଚନ୍ଦ୍ର ପଟେଲ୍, ସଦସ୍ୟ ଶିଶିର ପଟେଲ୍, ପ୍ରଶାନ୍ତ ପଟେଲ୍, ପ୍ରସାଦ ନାଏକ, ଅଜୟ ବହିଦାର, ନିତ୍ୟ କୁମାର ବଳ, ରୋମାଞ୍ଚ ଭାଇଁଶାଲ, ଆଶିଷ ଦେ, ବିଶ୍ୱରଂଜନ ହୋତା,ସହସମ୍ପାଦକ ଜୟଦେବ ପାତ୍ର ଏବଂ କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.