ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା , ଥାନାରେ ମାମଲା ରୁଜୁ , ଲୁହାରଡ୍ ଓ ଠେଙ୍ଗା ଜବତ , ସନ୍ଦେହରେ ୩ ଅଟକ

ବୁଗୁଡ଼ା (୧୮/୦୯) : ବୁଗୁଡ଼ା ଥାନା ଅନ୍ତର୍ଗତ ବୁରୁଝୋଳା ଛକ ନିକଟରେ ଗତକାଲି ରାତିରେ ୪୨ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନାଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଗତ ରାତିରୁ ୩ ଜଣଙ୍କୁ ଅଟକ ରଖିବା ସହ ଆକ୍ରମଣରେ ବ୍ଯବହୃତ ଲୁହା ରଡ୍ ଓ ଠେଙ୍ଗା ଜବତ କରି ତଦନ୍ତ ଜାରି ରଖିଛି । ଏନେଇ ଗଙ୍ଗାପାଣିଙ୍କ ସ୍ତ୍ରୀ ଛବିରାଣୀ ଜେନା ତାଙ୍କ ସ୍ବାମୀଙ୍କ ପ୍ରତି ରାଜନୈତିକ ଆକ୍ରୋଶ ରଖି ପୂର୍ବତନ ସରପଞ୍ଚ ସୂର୍ଯ୍ୟମଣି ଗୌଡ ଓ ତାଙ୍କ ଭାଇ ସରୋଜ ଗୌଡଙ୍କ ସମେତ କିଛି ସହଯୋଗୀ ଏଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଥାନାରେ କେସ୍ ନଂ୫୩୮/୨୨ ଦଫା ୩୦୭, ୩୨୩, ୩୨୪, ୩୨୫, ୫୦୬ ଓ ୩୪ ରେ ଏକ ମାମଲା ରୁଜୁ ହୋଇଛି । ଘଟଣାରୁ ପ୍ରକାଶ ଯେ , ଗତକାଲି ରାତି ପ୍ରାୟ ୮ ଘଣ୍ଟ ସମୟରେ ଗଙ୍ଗାପାଣି ବିଡ଼ିଓଙ୍କ କାର୍ଯାଳୟରୁ ବାଇକ୍ ଯୋଗେ ନିଜ ଗାଁ ତାଳସାକରକୁ ଫେରୁଥିଲା ବେଳେ ବୁରୁଝୋଳା ଛକ ନିକଟରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ସେଠାରୁ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଅବସ୍ଥାରେ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା ।ତାଙ୍କର ମୁଣ୍ଡ ଓ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏ ଖବର ପାଇ ଆଇଆଇସି ଚିତ୍ତ ରଞ୍ଜନ ବେହେରା ସଦଳବଳେ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଘଟଣାଟି ରାଜନୈତିକ ଆକ୍ରୋଶରୁ ସଙ୍ଗଠିତ ହେତୁ ସଂପ୍ରତି ସ୍ଥାନୀୟ ପରିସ୍ଥିତି ଟିକେ ଉତ୍ତେଜନା ମୂଳକ ରହିଥିବା ବେଳେ ଆଜି ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ବୁଗୁଡ଼ା ଥାନାରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ଆସାମୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.