ମନ୍ଦିର ଭିତରେ ରାମ୍ପ ଶୋ’କୁ ନେଇ ବିବାଦ, ଏଫଆଇଆର ପାଇଁ ଦାବି

ରାୟପୁର: ମନ୍ଦିର ଭିତରେ ମଡେଲକୁ ନେଇ ଆୟୋଜନ ହୋଇଛି ଫ୍ୟାଶନ ଶୋ’। ଶୋ’ରେ ଭାଗ ନେଇଥିବା ମଡେଲମାନେ ରାମ୍ପରେ ଚାଲି ଅଙ୍ଗଭଙ୍ଗୀ ଦେଖାଇଛନ୍ତି। କିନ୍ତୁ ଏବେ ଏହି ଶୋ’ ବିବାଦରେ ଫସିଛି। ମନ୍ଦିର ଭିତରେ ରାମ୍ପ ଶୋ’ ହେଉଥିବାରୁ ଏହାକୁ ଅଧାରୁ ବନ୍ଦ କରିଛି ଗୋଟିଏ ଦକ୍ଷିଣପନ୍ଥୀ ସଂଗଠନ। ଏଥିସହ ପୁଲିସ୍‌କୁ ଶୋ’ ଆୟୋଜନ କରିଥିବା ଲୋକଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ ମଧ୍ୟ ଦାବି କରାଯାଇଛି।
ଛତିଶଗଡ଼ର ରାୟପୁରରେ ଥିବା ସାଲସର ମନ୍ଦିରରେ ଫ୍ୟାଶନ ଶୋ’ ଆୟୋଜନ କରାଯାଇଥିଲା। ଏଫଡିସିଏ ନାମକ ଗୋଟିଏ କମ୍ପାନୀ ତେଲିବନ୍ଧ ପୁଲିସ୍‌ ଷ୍ଟେସନ ଅଧୀରେ ଥିବା ଏହି ମନ୍ଦିରରେ ଶୋ’ର ହୋଷ୍ଟିଂ କରିଥିଲା। ଶୋ’ କାଲି ସନ୍ଧ୍ୟାରେ ଚାଲିଥିବା ବେଳେ ହଠାତ୍‌ ବଜରଙ୍ଗ ଦଳର ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ।
ମନ୍ଦିର ଭଳି ପବିତ୍ର ସ୍ଥାନରେ ମଡେଲମାନେ ଅଙ୍ଗଭଙ୍ଗୀ ଦେଖାଉଥିବାରୁ, ସେମାନେ ପାଟିତୁଣ୍ଡ କରିଥିଲେ। ଏଥିସହ ଶୋ’କୁ ଅଧାରୁ ବନ୍ଦ କରି ଦେଇଥିଲେ। ଆୟୋଜକମାନେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ବି ଶୁଣି ନଥିଲେ। ଶୋ’ ଅଧାରୁ ବନ୍ଦ ହୋଇଥିଲେ ମଧ୍ୟ ଆୟୋଜକମାନଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ ସଂଗଠନ ଦାବି କରିଛି।
ମନ୍ଦିର ଭିତରେ ମନୀଷ ସୋନି ଓ ଆରଫି ଏପରି ଫ୍ୟାଶନ ଶୋ’ର ଆୟୋଜନ କରିଥିଲେ। ମନ୍ଦିର ଭିତରେ କାର୍ଯ୍ୟକ୍ରମକୁ ବିରୋଧର କରି ବଜରଙ୍ଗ ଦଳ ହଙ୍ଗାମା କରୁଥିବା ବେଳେ ପୁଲିସ୍‌ ପହଞ୍ଚିଥିଲା। ପୁଲିସ୍‌ ବିକ୍ଷୋଭ କରୁଥିବା କର୍ମୀମାନଙ୍କୁ ବୁଝାସୁଝା କରି ଛାଡ଼ିଥିଲା। ଏହାପରେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା, ତା’ର ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.