ସିକନ୍ଦରାବାଦର ଇ-ବାଇକ୍‌ ଶୋରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ; ଓଡ଼ିଆ ଦମ୍ପତିଙ୍କ ସହ ୮ ମୃତ

ହାଇଦ୍ରାବାଦ l କଟକ ୧୩/୦୯: ସିକନ୍ଦରାବାଦର ଏକ ଇଲେକ୍ଟ୍ରିକ ଭେଇକିଲ୍‌ ଶୋରୁମରେ ସୋମବାର ରାତିରେ ନିଆଁ ଲାଗି ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କଟକର ଓଡ଼ିଆ ଦମ୍ପତି ମଧ୍ୟ ରହିଛନ୍ତି। ମୃତ ଦମ୍ପତିଙ୍କ ପରିଚୟ ମିଳିଛି। ସେମାନେ ହେଲେ କଟକ କାଫଲା ବଜାର ମହାନ୍ତି ପଡ଼ାର ଚନ୍ଦନ ଜେଠି ଓ ତାଙ୍କ ସ୍ତ୍ରୀ ମିତାଲି ମହାପାତ୍ର ବୋଲି ଜଣା ପଡ଼ିଛି। ଅଗ୍ନିକାଣ୍ଡବେଳେ ସେହି ବିଲଡିଂରେ ପାଖାପାଖି ୨୫ ଜଣ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ନିଆଁରୁ ବର୍ତ୍ତିବା ପାଇଁ ବିଲଡିଂର ଝରକା ଦେଇ ବାହାରକୁ ଡେଇଁଥିବା ବେଳେ ଅନ୍ୟ କିଛି ଲୋକଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ।  

ସୋମବାର ରାତି ୧୦ଟାରେ ଇ-ବାଇକ୍‌ ଶୋରୁମରେ ନିଆଁ ଲାଗିଥିଲା। କେହି କିଛି ନବୁଝିବା ପୂର୍ବରୁ ନିଆଁ ପୁରା ବିଲଡିଂରେ ବ୍ୟାପି ଯାଇଥିଲା। ଫଳରେ ଶୋରୁମ୍‌ ଉପରେ ଥିବା ହୋଟେଲ୍‌ କ୍ଷତିଗ୍ରସ୍ତ ହେବା ସହିତ ସେଠାରେ ରହୁଥିବା ଲୋକମାନଙ୍କର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି।  ସିକନ୍ଦରାବଦର ଏହି ଅଗ୍ନିକାଣ୍ଡ ସାରାଦେଶରେ ହୋଇଥିବା ଏଭଳି ପୂର୍ବ ଘଟଣାକୁ ମନେ ପକାଇଦେଇଛି।   

ପୋଲିସ କହିଛି ଯେ, ଗେମୋପାଇ ବ୍ରାଣ୍ଡର ୩୫ରୁ ୪୦ଟି ଇ-ବାଇକ୍‌ ଚାର୍ଜିଂ ୟୁନିଟ୍‌ରେ ଥିଲା। ଗ୍ରାଉଣ୍ଡ ଫ୍ଲୋର୍‌ରେ ଇ-ବାଇକ୍‌ଗୁଡ଼ିକ ଚାର୍ଜ ହେବାବେଳେ ସର୍ଟ ସର୍କିଟ୍‌ କିମ୍ୱା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଥିବା ପୋଲିସ ସନ୍ଦେହ କରୁଛି। ପରେ ଚାହୁଁ ଚାହୁଁ ଏହି ନିଆଁ ଗ୍ରାଉଣ୍ଡ ଫ୍ଲୋର୍‌ରୁ ଫାଷ୍ଟ ଫ୍ଲୋର୍‌ ସହିତ ଅନ୍ୟ ଫ୍ଲୋର୍‌କୁ ବ୍ୟାପି ଯାଇଥିଲା। ଫଳରେ ଏଥିରୁ ରକ୍ଷା ପାଇବାକୁ କିଛି ଲୋକ ବିଲଡିଂର ଝରକା ଦେଇ ବାହାରକୁ ଡେଇଁଥିବା ବେଳେ ଅନ୍ୟମାନଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ।   

ନିଆଁ ଲାଗିଥିବା ୪ ମହଲା ବିଲଡିଂର ଉପର ତାଲାରେ ଥିବା ଝରକାରୁ ଧୂଆଁ ବାହାରିବାରୁ ପୋଲିସ ଓ ଅଗ୍ନିଶମ କର୍ମଚାରୀ   ସେଠାରେ ଫସିଥିବା ହୋଟେଲ୍‌ ଗେଷ୍ଟଙ୍କୁ ଉଦ୍ଧାର କରିବାକୁ କ୍ରେନ୍‌ ଓ ଅନ୍ୟଯନ୍ତ୍ର ବ୍ୟବହାର କରିଥିଲେ। ପରେ ଅଗ୍ନିଶମ କର୍ମୀମାନେ ତୁରନ୍ତ ବିଲଡିଂର ଉପର ତାଲାରୁ ଫସିରହିଥିବା ୭ଜଣ ହୋଟେଲ୍‌ ଗେଷ୍ଟଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ସ୍ଥାନାନ୍ତର କରଯାଇଥିଲା।

ବିଲଡିଂର ଫାଷ୍ଟ ଫ୍ଲୋର୍‌ରେ ଚାର୍ଜ ହେବା ବେଳେ ବ୍ୟାଟେରି ବିଷ୍ଫୋରଣ ହୋଇ କିମ୍ୱା ସର୍ଟ ସର୍କିଟ୍‌ ହୋଇ ଏପରି ଅଗ୍ନିକାଣ୍ଜ ହୋଇଛି, କିନ୍ତୁ ଅଗ୍ନିଶମ ବିଭାଗର ତଦନ୍ତ ପରେ ନିଆଁ ଲାଗିବାର ସଠିକ କାରଣ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।  ସୂଚନାଥାଉ କି, ଅଗ୍ନିକାଣ୍ଡ ହୋଇଥିବା ବିଲଡିଂ ପରିସରରେ ଫାୟାର୍‌ ଏନଓସି (ନୋ ଅବଜେକ୍‌ସନ୍‌ ସାର୍ଟିଫିକେଟ୍‌) ଏବଂ କୌଣସି ଫାୟାର୍‌ ସେଫ୍ଟି ଉପକରଣ ନଥିଲା

ହୋଟେଲ୍‌ର ୪ଟି ଫ୍ଲୋର୍‌ରେ ମୋଟ ୨୩ଟି ରୁମ୍‌ ଥିବା ଜଣା ପଡ଼ିଛି ବୋଲି ପୋଲିସ କହିଛି। ଅନ୍ୟପଟେ ହାଇଦ୍ରାବାଦର ପୋଲିସ କମିଶନର ସିଭି ଆନନ୍ଦ କହିଛନ୍ତି ସିଡି଼ ପାହାଚ ଦେଇ ଧୂଆଁ ତଳ ଫ୍ଲୋର୍‌ରୁ ଉପର ଫ୍ଲୋର ପର୍ଯ୍ୟନ୍ତ ସମସ୍ତ ଫ୍ଲୋର୍‌ରେ ବ୍ୟାପି ଯାଇଥିଲା। ଫାଷ୍ଟ ଫ୍ଲୋର ଏବଂ ସେକେଣ୍ଡ ଫ୍ଲୋର୍‌ରେ ଶୋଇଥିବା ଲୋକମାନ କରିଡର ପର୍ଯ୍ୟନ୍ତ ଆସିବାକୁ ସକ୍ଷମ ହୋଇଥିଲେ କିନ୍ତୁ ଅଧିକ ଧୂଆଁ ହେତୁ ଶ୍ୱାସରୁଦ୍ଧ ହୋଇ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିଲା।

ଏପରି ଦୁର୍ଘଟଣା କାରଣରୁ ସମ୍ପୃକ୍ତ ବିଲଡିଂର ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। କିନ୍ତୁ ଏହି ଘଟଣାପରେ ସେ ଫେରାର ଅଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତେଲେଙ୍ଗାନା ନଗର ପ୍ରଶାସନ ଏବଂ ସହରି ବିକାସ ମନ୍ତ୍ରୀ କେଟି ରାମା ରାଓ ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ମୃତକଙ୍କ ପାଇଁ କେନ୍ଦ୍ର ସରକାର ଏବଂ ସ୍ଥାନୀୟ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗ୍ରହ ରାଶି ଘୋଷଣା କରାଯାଇଛି।

nis-ad
Leave A Reply

Your email address will not be published.