ବିପଦ ସଂକୁଳ ଭାବେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

ଦାରିଙ୍ଗବାଡ଼ି(୧୩/୯) : ଉପାନ୍ତ ଅଂଚଳରେ ରାସ୍ତା ନଥିବା ହେତୁ ନାଳ,ନଦୀ ଉପରେ କୋମଳମତି ସ୍କୁଲ ଛାତ୍ରଛାତ୍ରୀ ମାନେ ବିପଦ ସଂକୁଳ ଅବସ୍ଥାରେ ପାହାଡିଆ କାଦୁଆ ରାସ୍ତା ଦେଇ ନାଳ ପାର ହୋଇ ସ୍କୁଲ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । କିରୀକୁଟି ପଞ୍ଚାୟତ ଅନ୍ତର୍ଗତ ଡେବାକାଡ଼ାଓ ଗ୍ରାମରେ ଦେଖିବାକୁ ମିଳିଛି କିଛି ଏଭଳି ଘଟଣା । ଏହି ଗ୍ରାମରେ ୧୫ ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀ ରହିଛନ୍ତି । ଉକ୍ତ ଗାଁରେ ସ୍କୁଲ ନଥିବା ବେଳେ ୩ କିଲୋମିଟର ଜଙ୍ଗଲୀ ପାହାଡିଆ ରାସ୍ତା ଦେଇ ନାଳ ପାର ହୋଇ ମୁଣ୍ଡାନାଜୁ ସ୍କୁଲ ଯିବାକୁ ପଡୁଛି । ବର୍ଷା ଦିନ ହୋଇଗଲେ ନାଳରେ ଅଧିକ ପାଣି ଆସିଲେ ପିଲା ପହଁରି ପହଁରି ସ୍କୁଲ ନାଳ ପାର ହେଉଛନ୍ତି ତ ଆଉ କେତେବେଳେ ସ୍କୁଲ ଯାଉନାହାଁନ୍ତି । ଉକ୍ତ ନାଳ ଉପରେ ଗ୍ରାମବାସୀ ମାନେ ଗୋଟିଏ କାଠ ପୋଲ ନିର୍ମାଣ କରିଥିବା ବେଳେ କାଠ ପୋଲ ଭାଙ୍ଗି ଯିବାରୁ ପିଲାମାନେ ବିପଦ ସଂକୁଳ ଭାବେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି । ଆଉ ରାସ୍ତା ଅବସ୍ଥା ନକହିବା ଭଲ । ଘଞ୍ଚ ଜଙ୍ଗଲ ସହ କାଦୁଆ ରାସ୍ତା । ଆଜି ପର୍ଯ୍ୟନ୍ତ ଗାଁକୁ ରାସ୍ତାଟିଏ ହୋଇପାରୁନାହିଁ କି ଉକ୍ତ ନାଳରେ ପୋଲଟିଏ ବି ନିର୍ମାଣ ହୋଇପାରୁନାହିଁ । ଗ୍ରାମବାସୀ ସହ ପିଲାମାନେ ଆଜ ପର୍ଯ୍ୟନ୍ତ ବିପଦ ସଂକୁଳ ଭାବେ ଯାତାୟାତ କରୁଛନ୍ତି । ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଅଫିସ,ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପର୍ଯ୍ୟନ୍ତ ଅଭିଯୋଗ କରିବା ସହ ସ୍ଥାନୀୟ ନେତାଙ୍କୁ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଯଥା ଶୀଘ୍ର ଗାଁକୁ ପକ୍କା ରାସ୍ତା ସହ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.